Latest Odisha News

BREAKING NEWS

ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ, ଅନ୍ତିମ ସନ୍ଧ୍ୟାରେ ଓଡିଶୀ ଓ ଷଢେଇକଳା ଛଉର ଚମତ୍କାରିତା

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ତଥା ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୭ଶ ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଯାଇଛି।  ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଓଡିଶୀ, କୁଚୀପୁଡ଼ୀ ଓ ଷଢେଇକଳା ଛଉ ନୃତ୍ୟର ମନୋରମ ପରିବେଷଣ ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ନୈବେଦ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶାର ବାର ମାସରେ ତେର ପର୍ବ ଉପରେ ପର୍ଯ୍ୟବେସିତ ଏକ ଅନନ୍ୟ ଓଡ଼ିଶା ନୃତ୍ୟ କାର୍ଯ୍ୟକ୍ରମ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ବିଜୟ କୁମାର ସାହୁ । ଓଡିଶାର ବର୍ଣ୍ଣାଢ୍ୟ ଶାସ୍ତ୍ରୀୟ ଓ ଲୋକ ଶୈଳୀର ନୃତ୍ୟ ମାଧ୍ୟମରେ ରାଜ୍ୟର ପର୍ବ ପର୍ବାଣି ସବୁର ଚମତ୍କାର ଉପସ୍ଥାପନା ଦର୍ଶକଙ୍କୁ ବିଭୋର କରିଥିଲା।

ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା କୁଚିପୁଡ଼ି ନୃତ୍ୟ,  ଯାହାକୁ ପରିବେଷଣ କରିଥିଲେ ବାଙ୍ଗାଲୋରରୁ ଆସିଥିବା ସାମ୍ଭବୀ ସ୍କୁଲ ଅଫ୍‍ ଡ଼୍ୟାନ୍ସର କଳାକାରମାନେ । ପ୍ରଖ୍ୟାତ କୁଚୀପୁଡ଼ୀ ନୃତ୍ୟାଙ୍ଗନା ବୈଜୟନ୍ତୀ କାଶିଙ୍କ ନେତୃତ୍ବରେ ସାମ୍ଭବୀର କଳାକାରମାନେ  ପ୍ରଥମେ ପ୍ରଭୁ ବିଠୋବାଙ୍କ ପାଦରେ  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ।  ପରେ ପରେ ତାଳପାକ ଅନାମ ଚରଣଙ୍କ ରଚନାରୁ ଉଦ୍ଧୃତ ଆଦିବ ଅଲ୍ଲଦିବ ପରିବେଶିତ ହୋଇଥିଲା । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବେସିତ ନୃତ୍ୟାଭିନୟ “ନୀଳ ମେଘ ଶରୀର”। ବୈଜୟନ୍ତୀଙ୍କ କୁଚୀପୁଡ଼ୀରେ ଯକ୍ଷଗଣ ଓ ନାଟ୍ୟ ପରମ୍ପରାର ପ୍ରଭାବ ସବୁବେଳେ ରହିଥାଏ।

ଅନ୍ତିମ ସଂଧ୍ୟାର ତୃତୀୟ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଯାହାକୁ ପରିବେଶଣ କରିଥିଲେ ଅନୁଗୁଲରୁ ଆସିଥିବା ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରମାନେ । ସେମାନେ ପ୍ରଥମେ ରାଗ ମାଳିକା ଓ ତାଳ ମାଳିକା ଉପରେ ନିବଦ୍ଧ ଅଗ୍ନି ସୁକ୍ତମ୍‍ ପରିବେଷଣ କରିଥିଲେ । ଏହା ସହିତ ରାଗ ଚକ୍ରବାକ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ପଲ୍ଲବୀ ଥିଲା ତାଙ୍କର ଅନ୍ତିମ ପ୍ରସ୍ତୁତି। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସ୍ୱପ୍ନାରାଣୀ ସିହ୍ନା ।

ଉଦଯାପନୀ ସଂଧ୍ୟାର ଅନ୍ତିମ ପରିବେଷଣ ଥିଲା ଷଢେଇକଳାର  ଛଉ ନୃତ୍ୟ ଯାହାକୁ ଉପସ୍ଥାପନ କରିଥିଲେ ନୂଆଦିଲ୍ଲୀରୁ ଆସିଥିବା ଆଚାର୍ଯ୍ୟ ଛଉ ନୃତ୍ୟ ବିଚିତ୍ର ଅନୁଷ୍ଠାନର ଶିଳ୍ପୀମାନେ । ସେମାନେ ପ୍ରଥମେ ରାଗ ଦେଶ ଓ ତାଳ ଷୋଳ ମାତ୍ରାରେ ରେ ଯାତ୍ରାଘାଟ ପରେ ପରେ ଭୂପତି ମନୋରଞ୍ଜନ, ରାଗ ମିୟାଙ୍କ ମହ୍ଲାର ଓ ଚାରୁକେଶି ଓ ତାଳ ଆଠ ମାତ୍ରା ଉପରେ ଗରୁଡ଼ ବାସୁକି ଯୁଦ୍ଧ  ଏବଂ ଶେଷରେ ଆଖଡ଼ା ନୃତ୍ୟ ପରି ଖଣ୍ଡା ଖେଳ ପ୍ରସ୍ତୁତ କରିଥିଲେ ।

ଉଦ୍‍ଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧକ୍ଷ ଅସିତ କୁମାର ତ୍ରିପାଠୀ; ଓଡ଼ିଶା କୌଶଳ ବିକାଶ ପ୍ରାଧିକରଣ ଅଧକ୍ଷ ସୁବ୍ରତୋ ବାଗ୍‍ଚୀ; ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଧକ୍ଷା ସୁସ୍ମିତା ବାଗ୍‍ଚୀ; ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ; ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‍ର ସଚିବ ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଇ. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସୟିଦ୍‍

Leave A Reply

Your email address will not be published.