ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ । ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ଚାଲିବ ବଜେଟ ଅଧିବେଶନ । ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୩ ତାରିଖ ଯାଏଁ ଓ ଦ୍ବିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୪ ତାରିଖ ଯାଏଁ ଚାଲିବ ଅଧିବେଶନ ।
ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଅଷ୍ଟମ ବଜେଟର କ’ଣ ରହିବ କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ସେ ନେଇ ଜାରି ରହିଛି କଳ୍ପନାଜଳ୍ପନା । ଅଧିବେଶନରେ ୧୬ଟି ବିଲ୍ ଆଗତ ହେବ । ଏଥିରେ ମୁଖ୍ୟତଃ ୱାକଫ ଆମେଣ୍ଡମେଣ୍ଟ ବିଲ୍- ୨୦୨୪, ବ୍ୟାଙ୍କିଂ ଲ ଆମେଣ୍ଡମେଣ୍ଟ ବିଲ୍-୨୦୨୪, ଫାଇନାନସ ବିଲ୍- ୨୦୨୫ ସଂସଦରେ ଆଗତ ହେବ ।
୨୦୨୪ ବଜେଟରେ ମୋଟ ବ୍ୟୟ ପରିମାଣ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କା ଥିଲା । ଯାହା ୨୦୨୩-୨୪ ତୁଳନାରେ ଏହି ପରିମାଣ ୮.୫ ପ୍ରତିଶତ ଅଧିକ ଥିଲା । ଚଳିତ ବଜେଟରେ ମୋଟ ବ୍ୟୟ ପରିମାଣ ୫୦ ଲକ୍ଷ କୋଟି ଟଙ୍କା ହେବା ଆଶା କରାଯାଉଛି ।
ତେବେ ଚଳିତ ବଜେଟ୍ ରେ କୃଷି କ୍ଷେତ୍ର, ସ୍ବାସ୍ଥ୍ୟସେବା, ରିଟେଲ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦିଆଯିବା ନେଇ ଆଶଙ୍କା ରହିଛି । ସେହିପରି ରିୟଲ ଇଷ୍ଟେଟ କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ନିର୍ମାଣ ସାମଗ୍ରୀ ଯଥା ସିମେଣ୍ଟ, ରଡ ଉପରୁ ଜିଏସଟି ହ୍ରାସ ସମ୍ଭାବନା ରହିଛି । କିଷାନ କ୍ରେଡିଟ ସ୍କିମକୁ ବି ଅଧିକ ସମ୍ପ୍ରସାରିତ କରିପାରନ୍ତି ସରକାର । ବଜେଟ୍ରେ ଯୁବପିଢ଼ିଙ୍କ କୌଶଳ ବିକାଶ ଉପରେ ପ୍ରାଥମିକତା ଦିଆଯାଇପାରେ ।
ମିଶନ୍ ଶକ୍ତି, ଜନନୀ ସୁରକ୍ଷା ଯୋଜନା ଏବଂ ମାତୃ ବନ୍ଦନା ଯୋଜନା ଭଳି ମହିଳାକୈନ୍ଦ୍ରିକ ସ୍କିମ୍ ଗୁଡ଼ିକୁ ବ୍ୟୟବରାଦରେ ବଢ଼ାଇପାରନ୍ତି ସରକାର । ପୂର୍ବ ବଜେଟରେ ଏହି ସ୍କିମ୍ଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ସେହିପରି ଗରିବଙ୍କ ଉପରେ ଗୁରୁତ୍ୱ ଦେବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟୟବରାଦ ବଢ଼ାଯାଇପାରେ ବୋଲି ଆଶା ରଖାଯାଇଛି ।
Comments are closed.