Latest Odisha News

ରାହୁଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଏଫଆଇଆର ରୁଜୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇର। ଦେଶର ସର୍ବଭୌମତ୍ୱ ପ୍ରତି ବିପଦ ଥିବା ଏଫଆଇଆରରେ ଅଭିଯୋଗ ହୋଇଛି। ନିକଟରେ ରାହୁଲ ଦେଇଥିବା ଏକ ବୟାନକୁ ନେଇ ତାଙ୍କ ବିରୋଧରେ ଆସାମରେ ଏହି ମାମଲା ରୁଜୁ ହୋଇଛି ବୋଲି ଜଣାପଡ଼ିଛି। ଅନ୍ୟପଟେ କଂଗ୍ରେସ ଏହାକୁ ରାଜନୈତିକ ଷ୍ଟଣ୍ଟ ବୋଲି କହିଛି।

ପୋଲିସର ସୂଚନା ଅନୁସାରେ, ଓକିଲ ମଞ୍ଜିତ ଚେତିୟା ରାହୁଲଙ୍କ ବିରୋଧରେ ଶନିବାର ସନ୍ଧ୍ୟାରେ ପନବାଜାର ଥାନାରେ ଏକ ଏଫଆଇଆର ପଞ୍ଜିକୃତ କରିଛନ୍ତି । ଚେତିୟା ଅଭିଯୋଗ କରିଛନ୍ତି ଯେ ଗତ ସପ୍ତାହରେ ନୂଆ ଦିଲ୍ଲୀରେ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦଘାଟନ ସମୟରେ ରାହୁଲ ଭାଷଣରେ କହିଥିଲେ ଯେ ବିଜେପି ଓ ଆରଏସଏସ ଦେଶର ସବୁ ସଂସ୍ଥା ଉପରେ ଅକ୍ତିଆର କରିନେଇଛି। ଏବେ ଆମେ ବିଜେପି, ଆରଏସଏସ ଓ ଭାରତୀୟ ରାଜ୍ୟ ସହ ଲଢ଼େଇ କରୁଛୁ। ଚେତିୟା ଆହୁରି ଅଭିଯୋଗ କରିଛନ୍ତି ଯେ, ଦେଶର ସର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଦୁର୍ବଳ କରିବା ପାଇଁ ରାହୁଲ ଗାନ୍ଧୀ ଜାଣିଶୁଣି ଏପରି କହିଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରୀକ ଭାବେ ନିର୍ବାଚିତ ସରକାରଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କରି ବିଦ୍ରୋହ କରିବା।

ଭାରତୀୟ ନ୍ୟାୟସଂହିତାର ଧାରା 152 ଏବଂ 197 (1) (ଡି) ଅନୁଯାୟୀ ଏଫଆଇଆ ପଞ୍ଜିକୃତ ହୋଇଛି । ଧାରା 152 ହେଉଛି ଭାରତୀୟ ରାଜ୍ୟର ସର୍ବଭୌମତ୍ୱ, ଏକତା କିମ୍ବା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟଗୁଡ଼ିକ ସହିତ ଜଡ଼ିତ। ସେହିପରି ଧାରା 197(1) (ଡି) ହେଉଛି ଏପରି ମିଥ୍ୟା କିମ୍ବା ବିଭ୍ରାନ୍ତିକର ସୂଚନା ଦେବା ସହିତ ଜଡ଼ିତ।

ଏହି ପ୍ରସଙ୍ଗରେ ଜବାବ ଦେଇଛନ୍ତି ଆସାମ ବିଧାନସଭାର ବିରୋଧୀ ଦଳର ନେତା ଦେବବ୍ରତ ସାଇକିଆ । ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ରାଜନୈତିକ ଉଦ୍ଦେଶ୍ୟ ପ୍ରଣଦିତ। ବିରୋଧୀଙ୍କ ସ୍ୱରକୁ ଚାପିବା ପାଇଁ ବିଜେପି ଦ୍ୱାରା ଏପରି ଏଫଆଇଆର ପଞ୍ଜିକୃତ କରାଯାଉଛି ବୋଲି ସେ କହିଛନ୍ତି।

 

Comments are closed.