Latest Odisha News

ଏନକାଉଣ୍ଟରରେ ୨ ନକ୍ସଲ ନିପାତ, ସେପଟେ ଆତ୍ମସମର୍ପଣ କଲେ ୬ ନକ୍ସଲ

ନୂଆପଡ଼ା: ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି । ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଯବାନମାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ସମୟରେ ଜଣେ ଯବାନ ଆହତ ହୋଇଛନ୍ତି । ହେଲେ ନିହତ ମାଓବାଦୀଙ୍କ ପରିଚୟ ମିଳିପାରିନହିଁ ।

ନୂଆପଡା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ରଙ୍କ ସୂଚନା ମୁତାବକ, ରବିବାର ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୋଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।

ସୋମବାର ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟ ବେଳେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବାବେଳେ, ଜଣେ ଜବାନ ଆହତ ହୋଇଥିବା ଜଣାପଡିଛି । ଆହତ ଯବାନ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି । ମାଓବାଦୀ ଦମନ ପାଇଁ କୋମ୍ବିଂ ଅପରେଶନକୁ ଆହୁରି ଜୋରଦାର କରାଯିବ ବୋଲି ଏସ୍‌ପି ରାଘବେନ୍ଦ୍ର କହିଛନ୍ତି ।

ଅନ୍ୟପଟେ, ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ୬ ନକ୍ସଲ ମଧ୍ୟରୁ ଜଣେ ନକ୍ସଲ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ୨ ଲକ୍ଷ ପୁରସ୍କାରର ଘୋଷିତ କୁଞ୍ଜାମ ମାସା, ବୋଡକେ ହୁର୍ରା, କୁଞ୍ଜାମ ଜଗା, ମଡ଼କମ ହିଡ଼ମା, ବାଞ୍ଜାମ କୋସା ଏବଂ ମାଡବୀ ଜଗା ।

 

Comments are closed.