ଲକ୍ଷ୍ନୌ: ସାଂସଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ବିଦ୍ୟୁତ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ହିଂସାର ଅନ୍ୟତମ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ ଜିଆଉ ରେହମାନ ବର୍କ ଏହି ଘଟଣାକୁ ନେଇ ପୁଣିଥରେ ସମସ୍ୟାରେ ପଡିବାକୁ ଯାଉଛନ୍ତି। ସପା ସାଂସଦ ଚୋରି ବିଜୁଳିର ବ୍ୟବହାର କରୁଥିଲେ। ତାଙ୍କ ଘର ମିଟର ଯାଞ୍ଚ ପରେ ପୋଲିସ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସମ୍ଭଲର ସମାଜବାଦୀ ପାର୍ଟି ସାଂସଦ ଜିୟାଉର ରହମନ ବର୍କ ବର୍ଷ ବର୍ଷ ଧରି କିପରି ବିଦ୍ୟୁତ ଚୋରି କରୁଥିଲେ ତାହାର ତଥ୍ୟ ଦେଇଛି ବିଦ୍ୟୁତ ବିଭାଗ। ସୂଚନା ଅନୁସାରେ, ଜିଆଉରଙ୍କ ଘରର ବିଦ୍ୟୁତ ମିଟର ରିଡିଂ ହେବା ପରେ ଗତ ୧ ବର୍ଷ ହେବ ତାହା ଶୂନ ଆସୁଥିଲା। କିନ୍ତୁ ଘରେ କେଉଁ ସବୁ ଉପକରଣ ବ୍ୟବହାର ହେଉଥିଲା ତାହାର ଯାଞ୍ଚ କରିଛି ବିଭାଗ। ଜିଆଉରଙ୍କ ଘରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ ସାଂସଦଙ୍କ ଘରେ ୧୬ ହଜାର ୫୦୦ ୱାଟ ବିଦ୍ୟୁତ ବ୍ୟବହାର ହେଉଥିବା ଉପକରଣ ରହିଛି।
ଏକ ତାଲିକାରେ ଦର୍ଶାଯାଇଛି ଯେ, ଜିଆଉରଙ୍କ ଘରେ ୮୩ ବଲ୍ବ, ୧୯ ପଙ୍ଖା, ୩ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ରହିଛି। ଏହା ବ୍ୟତୀତ ଗିଜର, ମାଇକ୍ରୋୱେଭ, ୱାଶିଂମେସିନ, ଫ୍ରିଜ ଆଦି ଉପକରଣ ରହିଛି। କିନ୍ତୁ ମିଟର ଟାମ୍ପରିଂ ଯୋଗୁଁ ବିଲ୍ ଶୂନ ଆସୁଥିଲା। ବିଜୁଳି ଚୋରିର ତରିକା ଦେଖି ତାଜୁବ ହୋଇଯାଇଥିଲା ବିଦ୍ୟୁତ ବିଭାଗ। ମିଟରରୁ ବାଏପାସ କରି ବିଜୁଳି ଚୋରି କରାଯାଉଥିଲା। ଚୋରି ଧରାପଡିବା ପରେ ବିଦ୍ୟୁତ ଅଧିନିୟମ ଧାରା ୧୩୫ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏ ନେଇ ବିଭାଗ ପକ୍ଷରୁ ସାଂସଦଙ୍କ ନାମରେ ଏତଲା ରୁଜୁ କରାଯାଇଛି। ତେବେ ଏହି ଚଢ଼ାଉ ସମୟରେ ସାଂସଦଙ୍କ ପରିବାର ଲୋକେ ଅଧିକାରୀମାନଙ୍କୁ ଧମକ ଦେଇଥିଲେ। ଆମ ସରକାର ଆସିଲେ ତୁମମାନଙ୍କୁ ଦେଖିଦେବୁ ବୋଲି ପରିବାର ଲୋକେ ଧମକ ଦେଇଥିଲେ।
Comments are closed.