ନୂଆଦିଲ୍ଲୀ : ତିରୁପତି ମନ୍ଦିରରେ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି। ସୂଚନା ମୁତାବକ, ମନ୍ଦିରର ଲଡୁ କାଉଣ୍ଟର ପାଖରେ ଏହି ନିଆଁ ଲାଗିଛି। ଯାହାଦ୍ବାରା ପ୍ରସାଦ ନେବାକୁ ଭିଡ ଜମାଇଥିବା ଲୋକେ ଭୟଭୀତ ହୋଇଛନ୍ତି। କମ୍ପ୍ୟୁଟର ୟୁପିଏସରୁ ସର୍ଟ ସର୍କିଟ କାରଣରୁ ଏପରି ହୋଇଥିବା କୁହାଯାଉଛି। ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି ମନ୍ଦିର ପ୍ରଶାସନ। ଏହାସହ ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାକୁ ଚେଷ୍ଟା ଚଳାଇଛି।
ଉଲ୍ଲେଖ ଯୋଗ୍ୟ, ଗତ ୮ ଜାନୁଆରୀରେ ମନ୍ଦିରରେ ଏକ ଅଘଟଣ ଘଟିଥିଲା। ମନ୍ଦିର ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ କରାଯାଉଥିବା ଟିକେଟ କେନ୍ଦ୍ର ନିକଟରେ ଦଳା ଚକଟାରେ ୬ ଜଣଙ୍କ ପ୍ରାଣ ଯାଇଥିଲା। ଏହି କାରଣରୁ ଅନେକ ଗୁରୁତର ମଧ୍ୟ ହୋଇଥିଲେ। ଏହି ଘଟଣାରେ ୪୦୦୦ ରୁ ଅଧିକ ଭକ୍ତ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ସାମନାକୁ ଆସିଥିଲା। ତିରୁପତିରେ ଭକ୍ତମାନେ ୧୦ ଦିନିଆ ବିଶେଷ ଦର୍ଶନ ପାଇଁ ଆସିଥିବା ଅବସରରେ ଏହି ଅଘଟଣ ଘଟିଥିଲା। ଏହି ଘଟଣା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସାବଧାନତା ଅବଲମ୍ବନ କରିବା ସହିତ ନିୟମ କଡାକଡି କରାଯାଇଲା। ତେବେ ମନ୍ଦିରରେ ଆଜି ପୁଣି ଘଟିଛି ଅଗ୍ନିକାଣ୍ଡ।
୮ ଜାନୁଆରୀରେ ଘଟିଥିବା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକ ପରିବାରଙ୍କୁ ସମବେଦନା ଜଣାଇବା ସହିତ ରାଜ୍ୟ ସରକାର ପରିବାର ପିଛା ୨୫ ଲକ୍ଷ ଟଙ୍କା ସହଯୋଗ ରାଶି ଦେବାକୁ ଘୋଷଣା କରିଥିଲେ।