Latest Odisha News

BREAKING NEWS

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା! ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୟାନିଧି ମହନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ । ତେବେ ପରିବାରର ଦେଖାଶୁଣା ପାଇଁ ତାଙ୍କୁ ଛୁଟି ନମିଳିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୁଇସାଇଡ୍ ନୋଟରେ ଲେଖିଛନ୍ତି ।

ସେଥିରେ ସେ ଉଲ୍ଲେଖ କରିଛନ୍ତି, ‘ଅଗ୍ନିଶମ ସେବା ସଂସ୍ଥାରେ ଗତ ୨୪ ବର୍ଷ ହେଲା କାମ କରୁଥିଲେ । ମୟୂରଭଞ୍ଜରେ ଥିବା ବେଳେ ତାଙ୍କ ବାପା, ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାଇ ପାଖାପାଖି ଅଗ୍ନିଶମ କେନ୍ଦ୍ରକୁ ବଦଳି ପାଇଁ କହିଥିଲି । ୧୫ ହଜାର ଟଙ୍କା ନଦେବାରୁ କନ୍ଧମାଳ ବଦଳି କରିଦିଆଗଲା । ଫଳରେ ବାପା, ମାଆଙ୍କ କଥା ବୁଝି ପାରିନଥିଲି । ଯାହାଫଲରେ ବାପାମାଆଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମୋତେ ଆସିକାକୁ ବଦଳି କରାଯାଇଥିଲା । ତେବେ ଛୁଟି ନମିଳିବାରୁ ସ୍ତ୍ରୀ ଓ ପିଲାମାନଙ୍କୁ ୨ ବର୍ଷ ହେଲା ଦେଖି ନଥିଲେ ।

ଯାହାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପାମାଆଙ୍କ ଦେଖାଶୁଣା କରିପାରିଲେନି ସେମାନେ ଚାଲିଗଲେ । ସ୍ତ୍ରୀ ମଧ୍ୟ ଦୂରେଇ ଗଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛି ।’

ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଆଜି ସକାଳୁ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି । ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ତଦନ୍ତ ଚଳାଇଛି ।

Leave A Reply

Your email address will not be published.