Latest Odisha News

ମାଓବାଦୀ-ଯବାନ ଗୁଳିବିନିମୟରେ ୬ ମାସର ଶିଶୁ ମୃତ

ମାଲକାନଗିରି,: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଆଜି ସନ୍ଧ୍ୟାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଫଳରେ ଜଣେ ୬ ମାସ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁର ମା ଓ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ଭେରମଗଡ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ସମେତ ମାଓବାଦୀନେ ଲୁଚିଥିବା ନେଇ ପୋଲିସ ଖବର ପାଇଥିଲା । ଅପରାହ୍ନରେ ଯବାନମାନେ କୋମ୍ବିଂ ଅପରେସନରେ ବାହାରିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ହଠାତ୍ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ ଦେଇ ଯବାନମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟ ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ତାର ୬ ମାସର କୁନି ଝିଅକୁ ଧରିଥିବା ବେଳେ କୁନି ଝିଅର ମୃତ୍ୟୁ ହୋଇଛି । ମହିଳାଙ୍କ ହାତରେ ଗୁଳି ବାଜିଛି । ମହିଳା ଜଣଙ୍କ ଅଚେତ୍ ହୋଇ ପଡିଯାଇଥିବା ବେଳେ ଯବାନମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଥିସହ ୨ ଜଣ ଯବାନ ମଧ୍ୟ ଆହତ ହୋଇଥିବା ବିଜାପୁର ଅତିରିକ୍ତ ଏସପି ବୈଭବ ବାଂକେର ସୂଚନା ଦେଇଛନ୍ତି ।

Comments are closed.