Latest Odisha News

BREAKING NEWS

ଦେଶରେ ଫେସିଆଲ୍‌ ରେକଗ୍‌ନିସନ୍‌ ଟେକ୍ନୋଲୋଜି ବିରୋଧରେ ଆସିଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଫେସିଆଲ୍‌ ରେକଗ୍‌ନିସନ୍‌ ଟେକ୍ନୋଲୋଜିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ମାମଲାର ଫଳାଫଳ ଐତିହାସିକ ଶୁଣାଣି ହେବ, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବ। ହାଇଦ୍ରାବାଦରେ ପୋଲିସ ସାମାଜିକ କାର୍ଯ୍ୟକର୍ତ୍ତା ଏସ୍‌.କ୍ବ୍ୟୁ ମାସୁଦଙ୍କୁ ମାସ୍କ କାଢିବାକୁ କହିଥିଲା ଏବଂ ତା’ପରେ ତାଙ୍କର ଫଟୋ ଉଠାଇଥିଲା।

ତେବେ ଏପରି କରିବାର କୌଣସି କାରଣ ତାଙ୍କୁ କୁହାଯାଇନଥିଲା। ତାଙ୍କ ଫଟୋ କାହିଁକି ନିଆଗଲା ଏବଂ ଏହା କ’ଣ ପାଇଁ ବ୍ୟବହୃତ ହେବ ସେନେଇ ସାମାଜିକ କର୍ମୀ ମାସୁଦ ଚିନ୍ତିତ ଥିଲେ। ତେଣୁ ସେ ଏହାର ଉତ୍ତର ମାଗିବା ପାଇଁ ସହରର ପୋଲିସ ମୁଖ୍ୟଙ୍କୁ ଏକ ଆଇନଗତ ନୋଟିସ ପଠାଇଥିଲେ। କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ଗତ ମାସରେ ତେଲେଙ୍ଗାନା ସରକାରଙ୍କ ଦ୍ୱାରା ଟେକ୍ନୋଲୋଜି ବ୍ୟବହାରକୁ ଚ୍ୟାଲେଞ୍ଜ କରି ଏକ ମକଦ୍ଦମା ଦାୟର କରିଥିଲେ।

ଭାରତରେ ଏହା ହେଉଛି ପ୍ରଥମ ଘଟଣା। ଏନେଇ ୩୮ ବର୍ଷୀୟ ମାସୁଦ କୁହନ୍ତି, “ମୁଁ ଜଣେ ମୁସଲମାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସହ କାମ କରେ ଯେଉଁମାନେ ପୋଲିସ ଦ୍ୱାରା କ୍ରମାଗତ ଭାବରେ ହଇରାଣ ହେଉଛନ୍ତି। ସେଥିପାଇଁ ମୋର ଫଟୋ ଅପବ୍ୟବହାର ହୋଇପାରେ ବୋଲି ମୁଁ ଭୟ କରୁଛି।

ମାସୁଦ ଗୋପନୀୟତାର ଅଧିକାର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, “ମୋର ଫଟୋ କାହିଁକି ନିଆଯାଇଛି, ଏହା କ’ଣ ପାଇଁ ବ୍ୟବହାର ହେବ, ସେହି ଫଟୋକୁ କିଏ ବ୍ୟବହାର କରିବ ଏବଂ ଏହାକୁ କିପରି ସୁରକ୍ଷିତ ରଖାଯିବ ତାହା ଜାଣିବା ମୋର ଅଧିକାର ଅଟେ। ଫେସିଆଲ୍‌ ରେକଗ୍‌ନିସନ୍‌ ଟେକ୍ନୋଲୋଜିର ବ୍ୟବହାର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ ଏହାକୁ ଫୋନ୍ ସ୍କ୍ରିନ୍‌ଠୁ ଆରମ୍ଭ କରି ବିମାନ ବନ୍ଦରରେ ପ୍ରବେଶ କରିବା ଇତ୍ୟାଦିରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଉଛି।

Comments are closed, but trackbacks and pingbacks are open.