Latest Odisha News

BREAKING NEWS

ଥମୁନି କରୋନା ସୁନାମୀ: ସପ୍ତାହକରେ କୋଟିଏ ୮୦ ଲକ୍ଷ ପଜିଟିଭ୍, ୪୫ ହଜାର ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଥମୁନି କରୋନା ସୁନାମୀ । ଓମିକ୍ରନ୍ ଯୋଗୁ ଭୟଙ୍କର ଭାବରେ ବ୍ୟାପୁଛି ସଂକ୍ରମଣ । ଗୋଟିଏ ସପ୍ତାହରେ ସାରା ବିଶ୍ୱରେ କୋଟିଏ ୮୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଜାନୁଆରୀ ୧୦-୧୬ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଏତେ ସଂଖ୍ୟାକ ପଜିଟିଭ୍ ବାହାରିଛନ୍ତି । ଏହି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ସମୟରେ ବିଶ୍ୱରୁ କରୋନା ଆଉ ୪୫ହଜାର ଜୀବନ ନେଇଛି ।

ଜାନୁଆରୀ ୧୦-୧୬ ତାରିଖ ସପ୍ତାହରେ ପୂର୍ବ ସପ୍ତାହ (ଜାନୁଆରୀ ୩-୯) ଅପେକ୍ଷା ୨୦ ପ୍ରତିଶତ ବଢ଼ିଛି ସଂକ୍ରମଣ । ଜାନୁଆରୀ ୩-୯ ତାରିଖରେ ଶେଷ ସପ୍ତାହରେ ଦେଢ଼ କୋଟି ଲୋକ ସଂକ୍ରମିତ ହୋଇଥିଲେ । ଗତ ସପ୍ତାହରେ କେବଳ ଆଫ୍ରିକା ମହାଦେଶକୁ ଛାଡ଼ିଦେଲେ ଆଉ ସବୁ ଦେଶରେ ସଂକ୍ରମଣ ବଢ଼ିଛି । ଦକ୍ଷିଣପୂର୍ବ ଏସିଆରେ ଗତ ସପ୍ତାହରେ ସବୁଠୁ ଅଧିକ ୧୪୫ ପ୍ରତିଶତ ବଢ଼ିଛି କରୋନା କେସ୍ । ସେହିପରି ମଧ୍ୟ ପୂର୍ବରେ ୬୮ ପ୍ରତିଶତ ବଢ଼ିଛି ସଂକ୍ରମଣ ।

ଆମେରିକାରେ ୧୭ ପ୍ରତିଶତ ଓ ୟୁରୋପରେ ୧୦ ପ୍ରତିଶତ ନୂଆ କେସ୍ ବାହାରିଛି । ଏହି ସମୟରେ ଭାରତରେ ୧୫୦ ପ୍ରତିଶତ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧୦-୧୬ ତାରିଖ ଭିତରେ ଆମେରିକାରେ ସଂକ୍ରମିତ ହୋଇଛନ୍ତି ସର୍ବାଧିକ ୪୬ ଲକ୍ଷ ଲୋକ । ଫ୍ରାନ୍ସରେ ୨୦ଲକ୍ଷ, ଇଟାଲୀରେ ୧୨ ଲକ୍ଷ ଓ ବ୍ରିଟେନରେ ସଂକ୍ରମିତ ହୋଇଛନ୍ତି ୮ ଲକ୍ଷ ।

ଡେଲଟାକୁ ପଛରେ ପକାଇ ବଳବାନ ହୋଇଛି ଓମିକ୍ରନ୍ । ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ଭୟଙ୍କର ଭାବରେ ବ୍ୟାପୁଛି । ଓମିକ୍ରନ୍ କମ୍ ଗୁରୁତର କରୁଛି । କିନ୍ତୁ ଏହାକୁ ସାଧାରଣ ରୋଗ ଭାବିବା ଭୁଲ୍ ହେବ ବୋଲି ସାରା ବିଶ୍ୱକୁ ପୁଣି ଥରେ ଚେତେଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Comments are closed, but trackbacks and pingbacks are open.