Latest Odisha News

ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ, ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ । କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଜାରି କଲେ ନିର୍ଦ୍ଦେଶନାମା । ଗତକାଲି ଶପଥ ଗ୍ରହଣ ପରେ ଆଜି ପ୍ରଧାନମନ୍ତ୍ରୀ ପ୍ରଥମ ଫାଇଲରେ ନିଜର ଦସ୍ତଖତ ମାରିଛନ୍ତି । ଯାହା କୃଷକଙ୍କ ସହ ଜଡିତ । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତରେ ପିଏମ୍ କିସାନ ନିଧିର ୧୭ତମ କିସ୍ତି ରିଲିଜ୍ କରାଯିବା ପାଇଁ ଅନୁମତି ଦିଆଯାଇଛି  ।

ରବିବାର ତୃତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ନିଜର ପ୍ରଥମ ଦାୟିତ୍ବ ନିଭାଇଛନ୍ତି ନରେନ୍ଦ୍ର ମୋଦୀ । ଦାୟିତ୍ବ ଗ୍ରହଣ ପରେ ଦସ୍ତଖତ ହୋଇଥିବା ପ୍ରଥମ ଫାଇଲରେ କୃଷକଙ୍କୁ ଦେଇଛନ୍ତି ଆଶ୍ବସ୍ତି । ପିଏମ୍ କିସାନ ନିଧିର ୧୭ ତମ କିସ୍ତି ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି ।   ଯେଉଁଥିରେ ୯.୩ କୋଟି ଚାଷୀ ଉପକୃତ ହେବେ । ଏହି ଯୋଜନାରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବଣ୍ଟନ କରିଯିବ |ଏହାକୁ ରିଲିଜ୍ କରିବାକୁ ନିର୍ଦ୍ଦେଶ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଭବିଷ୍ୟତରେ କୃଷକ ଏବଂ କୃଷି କ୍ଷେତ୍ର ପାଇଁ ଅଧିକ ଯୋଜନା ଜାରି ରଖିବାକୁ ଚାହୁଁଛୁ । ଆମର ଏହି ସରକାର କୃଷକ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ | ତେଣୁ ଦାୟିତ୍ବ ଗ୍ରହଣ କରିବା ପରେ ଦସ୍ତଖତ ହୋଇଥିବା ପ୍ରଥମ ଫାଇଲ କୃଷକ କଲ୍ୟାଣ ନିମନ୍ତେ ଜାରି କରାଯାଇଛି ।

ତେବେ ଚଳିତ ନିର୍ବାଚନରେ ଦେଶରେ କୃଷକ ଅସନ୍ତୋଷ ବେଶ୍ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅନେକ ଥର କୃଷକ ଆନ୍ଦୋଳନ ସହ ମୋଦିଙ୍କୁ ବିରୋଧ କରି ରାସ୍ତା ମଧ୍ୟ ରୋକ କରିଛନ୍ତି କୃଷକ । ଯେଉଁ କାରଣରୁ ଆଜି ପ୍ରଥମ ଦସ୍ତଖତରେ କୃଷକଙ୍କ ଅସନ୍ତୋଷକୁ ଶାନ୍ତ କରାଇବାକୁ  କୃଷକ କଲ୍ୟାଣ ଜଡିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.