Latest Odisha News

BREAKING NEWS

ପ୍ରଥମ “ପ୍ରତିମା ପୁରସ୍କାର ଉତ୍ସବ ୨୦୨୩” ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ୍‌ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ପ୍ରଥମ “ପ୍ରତିମା ପୁରସ୍କାର ଉତ୍ସବ ୨୦୨୩” ଆୟୋଜିତ ହୋଇଯାଇଛି। ଏହି ଅବସରରେ ପିଲାଙ୍କ ସହ ସ୍ମୃତି ଓ ବିକଳ୍ପ ଶିକ୍ଷା ପ୍ରୟୋଗର ପ୍ରକ୍ରିୟା ଓ ଅନୁଭବର ପ୍ରସଙ୍ଗ ସମ୍ମିଳିତ ପ୍ରତିମା ଦେବୀଙ୍କ ପୁସ୍ତକ “ସହଜ ମଣିଷ” ଉନ୍ମୋଚିତ ହୋଇଥିଲା ।

କବି କେଦାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୂଖ୍ଯ ଅତିଥି, ହିନ୍ଦୀ କବି ଶେଫାଳି ନନ୍ଦନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଶିକ୍ଷା କ୍ଷେତ୍ରରେ ପ୍ରତିମା ଦେବୀଙ୍କ ଅବଦାନ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ ।

ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ଓ ଅନୁବାଦକ ଅସିତ ମହାନ୍ତିଙ୍କୁ ଓଡ଼ିଆ ପ୍ରବନ୍ଧ ଜଗତକୁ ତାଙ୍କର ଅବଦାନ ପାଇଁ “ପ୍ରଥମ ପ୍ରତିମା ସାହିତ୍ୟ ସମ୍ମାନ ୨୦୨୩”, ବିଶିଷ୍ଟ ଶିକ୍ଷାବିତ୍ ତ୍ରିନାଥ ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ “ପ୍ରଥମ ପ୍ରତିମା ଶିକ୍ଷା ସମ୍ମାନ ୨୦୨୩” ଓ ଢୋକରା ଶିଳ୍ପୀ ବାସନ୍ତି ବେହେରାଙ୍କୁ ପାରମ୍ପରିକ କଳା କ୍ଷେତ୍ରକୁ ଅବଦାନ ପାଇଁ “ପ୍ରଥମ ପ୍ରତିମା ଶିଳ୍ପୀ ସମ୍ମାନ ୨୦୨୩” ଦେଇ ସମ୍ମାନିତ କରାଯାଇଛି। ସମ୍ମାନିତ ପ୍ରତିଭାମାନଙ୍କୁ ଫଳକ, ମାନପତ୍ର, ଉତ୍ତରୀୟ ଏବଂ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ମଧୁମିତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ପାଢ଼ୀ ସଙ୍ଗଠନର ଉଦ୍ଦେଶ୍ଯ ଓ ପ୍ରତିମା ଦେବୀଙ୍କ ଜୀବନ ସମ୍ପର୍କରେ ସୂଚନା ଦେବା ସହ ପ୍ରତି ବର୍ଷ ମେ ଚାରି ତାରିଖ ଦିନ ପ୍ରତିମା ଦେବୀଙ୍କ ଜନ୍ମ ଦିବସରେ ଏହି ପୁରସ୍କାର ଉତ୍ସବ ଜାରି ରହିବ ବୋଲି ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ବିଶିଷ୍ଟ କବି ପବିତ୍ର ମୋହନ କର ଧନ୍ଯବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.