Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଓ ବିଚିତ୍ର ସେଵାର ପରମ୍ପରାକୁ ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟ ଲାଗେ। ସତରେ ଏତେ ପ୍ରକାର ସେବକ ଗୋଷ୍ଟି ତିଆରି କରିବାର ପ୍ରକୃତ ବିନ୍ଧାଣି କିଏ। କାହା ନିର୍ଦ୍ଦେଶରେ ସମସ୍ତ ସେବକ ନିଷ୍ଠl ଓ ଆନନ୍ଦ ସହିତ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରନ୍ତି। ସେଥିପାଇଁ ମୁଲିଆ ସୁଆଁସିଆଙ୍କୁ ମଧ୍ଯ ମିଳିଛି ସେବକ ହେବାର ଗୌରବ। ତେବେ ଆଜି ଆମେ ଜାଣିବା ସେହି ମୁଲିଆ ସୁଆଁସିଆମାନଙ୍କ ବିଷୟରେ। ଏମାନେ ମଧ୍ଯ ଶାଢ଼ୀ ବନ୍ଧା ପଧାନ ସେବକ । ଏହି ସେବା ବଂଶାନୁକ୍ରମିକ ସେବା ଓ ଏହାଙ୍କ ମୂଖ୍ୟ କାମ ହେଲା କର୍ମ କର୍ମଣିମାନଙ୍କୁ କାଠ ଜିନିଷ ଯଥା ପିଢା, ରୁଖା, ଭଦ୍ରାସନ, ଇତ୍ୟାଦି ଯୋଗାଇଥାନ୍ତି। ଏହି ଜିନିଷ ଗୁଡ଼ିକ ବିଶେଷ ଭାବରେ ବଢ଼େଇ ସେବକ ନିର୍ମାଣ କରିଥାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ବିଭିନ୍ନ ରୀତିନୀତି ଅନୁସାରେ ପ୍ରଦତ୍ତ ବଳି ପୋତିଥାନ୍ତି। ଭଉଁରୀ ଦିନ ରଥର ପ୍ରତ୍ୟେକ ଚକ ଧୋଇ ଦିଅନ୍ତି
ଜଳକ୍ରୀଡା ପାଇଁ ବାଉଁଶ ପିଚିକାରୀ ଓ ହଳଦୀ ପାଣି ଯୋଗାଇଥାନ୍ତି। ଅଶ୍ୱିନ ମାସ ଷୋଳ ପୂଜା ସମୟରେ ସେଠାରେ ଲାଗୁଥିବା ଶଙ୍ଖୁଡି ଭୋଗ ପାଇଁ ଆମିଷ (ମାଛ )ଖଟୁଆ ସେବକଙ୍କଠାରୁ ଆଣନ୍ତି। ଏହା ସହିତ ସେହି ମାଛ କଟା ସରିବା ପରେ ଭଲ ଭାବରେ ଧୋଇ ରୋଷ ପାଇଁ ରଖନ୍ତି । ଅଣସର ଦଶମୀ ଦିନ ଚକା ବିଜେକୁ ନଡ଼ିଆ ଗଡ଼ (ଅଶି ଖଣ୍ଡ )ବଢ଼େଇ ସେବକଙ୍କ ଠାରୁ ଆଣି ଯୋଗାଇଥାନ୍ତି । ସ୍ନାନ ବେଦୀ, ରଥ, ଗୁଣ୍ଡିଚା ଘରକୁ ପିଢା ଆଦି ପୂଜା ଉପକରଣ ନିଆ ଅଣା କରନ୍ତି। ଘୋଡା, ଚୌକି, ଗରା, ଢାଳ ଆଦି ପଦାର୍ଥ ଗୁଣ୍ଡିଚା ଘରକୁ ବୁହାନ୍ତି ତଥା ରଥକୁ ମଧ୍ଯ ଆଣନ୍ତି ।

କାଳୀୟ ଦଳନ ବେଶର ଫଣା (କାଳୀୟ ନାଗର ) ତଥା ଦଶହରା ତିଥିରେ ବ୍ୟବହୃତ ହେଉଥିବା ଲାଖପଟା ଯୋଗାଇଥାନ୍ତି। ଏଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଥିବା ସେବକ କିନ୍ତୁ ନିଜକୁ ମୁଲିଆ ସୁଆଁସିଆ ବୋଲି ଅଭିହିତ କରିଥାନ୍ତି ତାହା ହିଁ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ନିଆରାପଣ। ଆଗାମୀ ଅଧ୍ୟାୟମାନଙ୍କରେ ଆହୁରି ନିଷ୍ଠାବାନ ସେବକ ସମ୍ପର୍କରେ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ଜ୍ଞାନ ଅଜ୍ଞାନ ମାର୍ଗ ଦୁଇ
ସ୍ବପ୍ନ ଦୃଷ୍ଟାନ୍ତେ କହିବଇଁ ।
ଯେସନେ ସ୍ୱପ୍ନେ ନାନା ଅର୍ଥ
ନିଦ୍ରାରେ ମଣେ ତାହା ସତ୍ୟ ।
ସେ ପୁଣି ନିଦ୍ରା ଅବସlନେ
ସକଳ ମିଥ୍ୟା କରି ମଣେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.