ରାଇପୁର: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ବ୍ରିଟିଶମାନଙ୍କ ଠାରୁ ସ୍ଵାଧିନତା ପାଇଥିଲା ଭାରତ । ଇତି ମଧ୍ୟରେ ୭୭ ବର୍ଷ ବିତିଗଲାଣି । ଆଉ ଏହାରି ଭିତରେ ଦେଶ ଦ୍ରୁତ ଗତିରେ ବିକାଶ ମଧ୍ୟ ଲାଭ କରିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଜି ବି ଭାରତରେ ଏପରି ଅନେକ ଗ୍ରାମ ଅଛି ଯେଉଁଠାରେ ବିଦ୍ୟୁତ୍, ଜଳ, ରାସ୍ତା, ଟେଲିଭିଜନ୍ ଏବଂ ଡାକ୍ତରଖାନା ଭଳି ମୌଳିକ ସୁବିଧା ମିଳିପାରି ନାହିଁ । ଏହିପରି ଗୋଟିଏ ଗାଁ ଛତିଶଗଡର ସୁକମା ଜିଲ୍ଲାରେ ଅବସ୍ଥିତ । ସ୍ୱାଧୀନତାର ଦୀର୍ଘ ୭୭ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଗାଁର ଗ୍ରାମବାସୀ ଟିଭି ଦେଖିଛନ୍ତି । ଟିଭିରେ ଜାତୀୟ ତଥା ବିଶ୍ୱ ସମ୍ବାଦ, ସିରିଏଲ ଏବଂ ଚଳଚ୍ଚିତ୍ର ଦେଖି ବେଶ୍ ଖୁସି ହୋଇଛନ୍ତି । ଏହି ଐତିହାସିକ ପଦକ୍ଷେପ ଗ୍ରାମୀଣ ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ।
ସ୍ଵାଧୀନତାରେ ଏତେ ବର୍ଷ ପରେ ପ୍ରଥମ ଥର ପାଇଁ ପୂର୍ବତୀ ଗାଁର ଲୋକମାନେ ଘଣ୍ଟା ଘଣ୍ଟା ଧରି ଦୂରଦର୍ଶନରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହି ପରିବର୍ତ୍ତନ ପ୍ରମାଣିତ କରିଛି ଯେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବିକାଶର ପ୍ରଭାବ ବର୍ତ୍ତମାନ ଦୃଶ୍ୟମାନ ହେଉଛି। ଛତିଶଗଡ ସରକାର ଏବଂ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ଉଦ୍ୟମରେ ଗ୍ରାମରେ ସୌର ଶକ୍ତି ଚାଳିତ ଉପକରଣ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ପରିବାରକୁ ସୌରଚାଳିତ ଲାଇଟ ଏବଂ ପଙ୍ଖା ଦିଆଯାଇଥିଲା, ଯେଉଁଥିପାଇଁ ଗାଁରେ ବିଦ୍ୟୁତ ଅଭାବ ଦୂର ହୋଇଥିଲା । ଆହୁରି ମଧ୍ୟ କିଛି ଗାଁକୁ ଟିଭି ଦିଆଯାଇଥିଲା ।
ବର୍ତ୍ତମାନ ଗ୍ରାମବାସୀ ବିନା ଅନ୍ଧାରରେ ଖୁସିରେ ଜୀବନ ବିତଉଛନ୍ତି । ଗ୍ରାମୀଣ ପିଲାମାନଙ୍କର ଭବିଷ୍ୟତକୁ ଏକ ନୂତନ ଦିଗ ଦେବା ପାଇଁ ଏହା ଏକ ଉପଯୁକ୍ତ ପଦକ୍ଷେପ । ସୌର ଶକ୍ତି ଉପରେ ଆଧାରିତ ଉପକରଣର ବ୍ୟବହାର କେବଳ ବିଦ୍ୟୁତ୍ ସମସ୍ୟାର ସମାଧାନ ନୁହେଁ, ଏହା ପରିବେଶ ସୁରକ୍ଷାକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଏହି ପଦକ୍ଷେପ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାର ଏକ ଆଦର୍ଶ ଉଦାହରଣ । ଏହି ପଦକ୍ଷେପ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତ ସହିତ ସଂଯୋଗ କରିବାରେ ସହାୟକ ହେଉଛି ବୋଲି କହିଛନ୍ତି ବୁଦ୍ଧିଜୀବୀ ମାନେ ।