Latest Odisha News

BREAKING NEWS

ହ୍ୱାଇଟ ହାଉସ ରେସରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ଚାପ

ନୂଆଦିଲ୍ଲୀ: ଆମେରିକାରେ ଏବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ପୁଣି ଥରେ କ୍ଷମତାସୀନ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଲଢିବାକୁ ଘୋଷଣା କରି ନିଜ ସପକ୍ଷରେ ଦଳୀୟ ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ତାଙ୍କୁ ଚ୍ୟାଲେଂଜ କରିବାକୁ ପ୍ରସ୍ତୁତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ । ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରିପବ୍ଲିକାନ ପାର୍ଟିର ସମର୍ଥନ ହାସଲ ପାଇଁ ଜୋରଦାର ଲାଗି ପଡିଛନ୍ତି । ସୂଚନାଯୋଗ୍ୟ ଯେ, ଉଭୟ ବାଇଡେନ ଓ ଟ୍ରମ୍ପଙ୍କ  ପ୍ରାର୍ଥିତ୍ୱକୁ ନିଜ ନିଜ ଦଳର ଔପଚାରିକ ସ୍ୱୀକୃତି ମିଳିଲେ ହିଁ ସେମାନେ ଲଢିପାରିବେ । ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଦୁଇ ଦଳର ମହାଧିବେଶନରେ ହିଁ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଉପରେ ମୋହର ବାଜିଥାଏ ।

ଏବେ ସାରା ଆମେରିକାରେ ଜୋ ବାଇଡେନଙ୍କୁ ନେଇ ଚର୍ଚ୍ଚା । ୮୧ ବର୍ଷିୟ ବାଇଡେନ୍ ପୁଣି ଥରେ ହ୍ୱାଇଟ ହାଉସ ପାଇଁ ନିଜର ପ୍ରାର୍ଥିତ୍ୱ ଘୋଷଣା କରି ପ୍ରାରମ୍ଭିକ ପ୍ରଚାର ଆରମ୍ଭ କରିଥିଲେ ମଧ୍ୟ ତାଙ୍କର ମାନସିକ ଓ ଶାରୀରିକ ଫିଟନେସ ନେଇ ଚର୍ଚ୍ଚା ହେଉଛି । ଗତ ସପ୍ତାହରେ ବାଇଡେନ, ପ୍ରତିଦ୍ୱନ୍ଦୀ ଡୋନାଲଡ ଟ୍ରମ୍ପଙ୍କ ସହ ଏକ ଲାଇଭ ଟେଲିଭିଜନ ବିତର୍କରେ ସାମିଲ ହୋଇଥିଲେ । ବିତର୍କରେ ବାଇଡେନଙ୍କ ପ୍ରଦର୍ଶନ ଅତି ଖରାପ ଥିଲା । ସେ ଅତିଶୟ କ୍ଲାନ୍ତ ଜଣାପଡୁଥିଲେ । କ୍ଷୀଣ ସ୍ୱରରେ କହୁଥିଲେ । ବାରମ୍ବାର ଝୁଂଟିଥିଲେ । ଅନେକ ପ୍ରସଙ୍ଗରେ ଜବାବ ରଖିବାରେ ବିଫଳ ହୋଇଥିଲେ ବାଇଡେନ୍ ।  ଟିଭି ଡିବେଟରେ ବାଇଡେନଙ୍କ ଉପରେ ଭାରି ପଡିଥିଲେ ଟ୍ରମ୍ପ ।

ବାଇଡେନଙ୍କ ଖରାପ ପ୍ରଦର୍ଶନ ପରେ ତାଙ୍କର ସ୍ୱାସ୍ଥ୍ୟ ଓ ନିର୍ବାଚନ ଲଢିବା କ୍ଷମତାକୁ ନେଇ ଉଠିିଛି ପ୍ରଶ୍ନ । ରାଷ୍ଟ୍ରପତି ନିର୍ବାଚନ ରେସରୁ ଓହରିଯିବା ପାଇଁ ବାଇଡେନଙ୍କ ଉପରେ ଚାପ ପଡିବାରେ ଲାଗିଛି। ନିଜ ଦଳ ଡେମୋକ୍ରାଟିକ ପାର୍ଟିର ହିଁ ଅନେକ ନେତା ବାଇଡେନଙ୍କ ଫିଟନେସ୍ ପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ବୟସ କାରଣରୁ ବାଇଡେନ ହ୍ୱାଇଟ ହାଉସ ରେସରୁ ଓହରିଯିବା ଦରକାର ବୋଲି ମତ ପ୍ରକାଶ ପାଇଛି।

ସନ୍ଦେହ ଓ ସମାଲୋଚନା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ରେସରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍ । ସେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଦୃଢତାର ସହ କହିଛନ୍ତି । ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତା ଓ ଗଭର୍ଣ୍ଣରଙ୍କ ସମେତ ନିଜ ନିର୍ବାଚନ ପ୍ରଚାର ଅଭିଯାନର ସହଯୋଗୀଙ୍କୁ ମନାଇବା ପାଇଁ ପ୍ରୟାସ କରିଛନ୍ତି ବାଇଡେନ୍ । ରେସରୁ ଓହରିବେ ନାହିଁ ବୋଲି ଦୃଢତାର ସହ ଘୋଷଣା କରିବା ପରେ ମଧ୍ୟ ଚାପରେ ଅଛନ୍ତି ବାଇଡେନ୍ ।

ଡୋନାଲଡ ଟ୍ରମ୍ପଙ୍କ ସହ ଟିଭି ବିତର୍କରେ ଖରାପ ପ୍ରଦର୍ଶନ ଓ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ବାଇଡେନ ହ୍ୱାଇଟ ହାଉସ ରେସରୁ ଓହରି ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ତାଙ୍କ ପରିବର୍ତ୍ତେ ଉପରାଷ୍ଟ୍ରପତି କମଲା ହ୍ୟାରିସ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଇଥିଲା। ହ୍ୱାଇଟ ହାଉସରେ ବାଇଡେନ୍, କମଲା ହ୍ୟାରିସଙ୍କ ସହ ମଧ୍ୟାହ୍ନ ଭୋଜନରେ ସାମିଲ ହେବା ପରେ ହ୍ୟାରିସଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ନେଇ ହୋଇଥିଲା ସରଗରମ ଚର୍ଚ୍ଚା ।

ରେସରୁ ନଓହରିବା ପାଇଁ ବାଇଡେନ୍ ରୋକଠୋକ କହିଥିଲେ ମଧ୍ୟ ତାଙ୍କର ଫିଟନେସ ନେଇ ଚର୍ଚ୍ଚା ଜାରି ରହିଛି । ଟିଭି ବିତର୍କରେ ଟ୍ରମ୍ପଙ୍କ ଆଗରେ ତାଙ୍କ ପ୍ରଦର୍ଶନ ଖରାପ ଥିଲା ବୋଲି ମଧ୍ୟ ସ୍ୱୀକାର କରିଛନ୍ତି ବାଇଡେନ୍ । ଆଗକୁ ନିଜକୁ ସୁଧାରିବେ ବୋଲି ନିଜ ସମର୍ଥକଙ୍କୁ ଆଶ୍ୱାସନା ଦେଇଛନ୍ତି ବାଇଡେନ୍ । ଏଣେ ବିଭିନ୍ନ ପ୍ରାକ୍ ନିର୍ବାଚନୀ ସର୍ବେକ୍ଷଣରେ ଡୋନାଲଡ ଟ୍ରମ୍ପ, ବାଇଡେନଙ୍କଠାରୁ ଆଗରେ ଅଛନ୍ତି । ଏହା ବାଇଡେନଙ୍କ ଚିନ୍ତା ଆହୁରି ବଢାଇ ଦେଇଛି ।

ଆମେରିକୀୟ କଂଗ୍ରେସର କିଛି ଡେମୋକ୍ରାଟିକ ସଦସ୍ୟ ହ୍ୱାଇଟ ହାଉସ ରେସରୁ ବାଇଡେନ ଓହରିବା ସପକ୍ଷରେ ଖୋଲାଖୋଲି ମତ ଦେଇଛନ୍ତି। ଏପରିକି ଡେମୋକ୍ରାଟିକ ପାର୍ଟିକୁ ଚାନ୍ଦା ଦେଉଥିବା ବ୍ୟକ୍ତିବିଶେଷ ବି ବାଇଡେନଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରୁଛନ୍ତି । ତେଣୁ ଚାପରେ ଅଛନ୍ତି ବାଇଡେନ୍ । ଯଦି ପରିସ୍ଥିତି ତାଙ୍କୁ ଓହରିବା ପାଇଁ ବାଧ୍ୟ କରେ ତାହା ହେଲେ କମଲା ହ୍ୟାରିସ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଅଧିକ ସମ୍ଭାବନା ରହିଛି ।

Leave A Reply

Your email address will not be published.