ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍ର ପ୍ରସାର ନିମନ୍ତେ କିସ୍ ଓ ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିସ୍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏଫ୍ଆଇଭିବି ପକ୍ଷରୁ ଏଫ୍ଆଇଭିବିର ସଭାପତି ଆରି ଗ୍ରାକା ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣା ଅନୁସାରେ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ । କିସ୍ ଓ ଏଫ୍ଆଇଭିବି ମିଳିତ ଭାବେ ଭାରତ ଓ ଦକ୍ଷିଣ ଏସିଆରେ ବିଦ୍ୟାଳୟସ୍ତରରେ ଭଲିବଲର ପ୍ରସାର ଦିଗରେ କାର୍ଯ୍ୟ କରିବେ । ଏହା ସହିତ କିସ୍ ଭଲିବଲ୍ ତାଲିମ୍ ଓ ଅନ୍ୟ କ୍ରୀଡ଼ା ସମ୍ପର୍କିତ ଶିକ୍ଷା ସୁବିଧାର ନଲେଜ ହବରେ ପରିଣତ ହେବ । କିସ୍ ମଧ୍ୟ ରାଷ୍ଟ୍ରୀୟ ଭଲିବଲ୍ ଦଳଗୁଡ଼ିକ ପାଇଁ ତାଲିମ୍ ଓ ଶିକ୍ଷା କାର୍ଯ୍ୟକ୍ରମ ଯୋଗାଇ ଦେବା ପରେ ଏହା ଭଲିବଲ୍ ତାଲିମ୍ ହବ୍ରେ ପରିଣତ ହେବ ।
କୌଣସି ଶିକ୍ଷାନୁଷ୍ଠାନ ସହ ଏଭଳି ବୁଝାମଣା କରିବାରେ କିସ୍ ବିଶ୍ୱର ପ୍ରଥମ ଅନୁଷ୍ଠାନ । ଏଫ୍ଆଇଭିବି ଭଲିବଲ୍ ପାଇଁ ସମସ୍ତ କ୍ରୀଡ଼ା ଉପକରଣ ଯୋଗାଇ ଦେବ । ବୁଝାମଣା ଅବସରରେ ଅନ୍ତର୍ଜାତୀୟ ଭଲିବଲ୍ ସଂଘର ସଭାପତି ଆରି ଗ୍ରାକା କହିଛନ୍ତି, ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍ ଓ ବିଚ୍ ଭଲିବଲ୍ର ପ୍ରସାର ନିମନ୍ତେ କିସ୍ ସହ ମିଶି କାମ କରିବାର ସୁଯୋଗ ମିଳିଛି । ଏହି ଉଦ୍ୟମ ଦ୍ୱାରା ଭଲିବଲ୍ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶ ଓ ବିଶେଷ କରି ପିଲାମାନଙ୍କୁ ଏକାଠି କରାଯାଇପାରିବ ।
କିସ୍କୁ ଏଥିପାଇଁ ନୋଡାଲ୍ ଏଜେନ୍ସି କରାଯାଇଥିବାରୁ ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ, ଆରି ଗ୍ରାକା ଓ ଅନ୍ତର୍ଜାତୀୟ ଭଲିବଲ୍ ସଂଘକୁ ଧନ୍ୟବାଦ ଜଣାଇଛନ୍ତି । ଅଚ୍ୟୁତ ସାମନ୍ତ କହିଛନ୍ତି, ଏହା ଦ୍ୱାରା ଭାରତ ବିଶେଷ କରି ଓଡ଼ିଶାର ବାଳିକାମାନେ କିଭଳି ଅଧିକରୁ ଅଧିକ ଭଲବଲ୍ ଖେଳିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରି ଅଚ୍ୟୁତ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ସର୍ବଦା ପ୍ରୋତ୍ସାହିତ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ଅନୁପ୍ରେରିତ ହୋଇ ଆମେ ଏଭଳି କାର୍ଯ୍ୟ ସବୁ କରିପାରୁଛୁ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ନେଦରଲାଣ୍ଡରେ ଏଫ୍ଆଇଭିବିର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ, ବିଶେଷ କରି ଓଡ଼ିଶାରେ ଭଲିବଲ୍ର ପ୍ରସାର ଏବଂ କିସ୍କୁ ଏଫ୍ଆଇଭିବି ଭଲିବଲ୍ ଫର ସ୍କୁଲ୍ର ନୋଡାଲ୍ ଏଜେନ୍ସି କରିବା ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ ।
କିଛି ଦିନ ତଳେ ଅନ୍ତର୍ଜାତୀୟ ଭଲିବଲ୍ ସଂଘର ଜେନେରାଲ୍ ଡାଇରେକ୍ଟର ଫାବିଓ ଆଜେଭେଦୋ କିସ୍ ଓ କିଟ୍ ପରିଦର୍ଶନ କରି ଏଠାରେ ଥିବା କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ । କିଟ୍ ଓ କିସ୍ର କ୍ରୀଡ଼ା ଭିତ୍ତିଭୂମି ଦେଖି ସେ ଆନନ୍ଦ ପ୍ରକାଶ କରିବା ସହ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍ର ପ୍ରସାର ନିମନ୍ତେ କିସ୍କୁ ନୋଡାଲ୍ ଏଜେନ୍ସି କରିବା ନେଇ ପ୍ରୟାସ ଆରମ୍ଭ କରିଥିଲେ । ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଏହା ସଫଳ ହୋଇଥିବାରୁ ଫାବିଓ ଆନନ୍ଦ ପ୍ରକାଶ କରିବା ସହ କିସ୍ର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ।
Comments are closed.