କଳାହାଣ୍ଡି: ଅଶାନ୍ତ ହୋଇପଡିଛି କଳାହାଣ୍ଡି ଥୁଆମୁଳ ରାମପୁର ଅଞ୍ଚଳ । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହିତ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନିଆନଯିବା ପ୍ରତିବାଦରେ ଥାନା ଉପରେ ପଥର ମାଡ କରିବା ସହ କିଛି ପୋଲିସ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଲୋକଙ୍କ ପଥର ମାଡ଼ରେ ଜଣେ ଏସଆଇ ଏବଂ କନେଷ୍ଟବଳଙ୍କ ଆହତ ହେଇଥିବା ସୂଚନା ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡେଇ ଦେଇଥିଲା। ପରେ ଜିଲ୍ଲା ମହକୁମାରୁ ଅଧିକ ସଂଖ୍ୟକ ପୁଲିସ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଏନେଇ ଥୁଆମୁଲ ରାମପୁର ଥାନାରେ ମାମଲା ରୁଜୁ ହେଇ ତଦନ୍ତ ଚାଲିଛି ।
ସୂଚନା ଅନୁଯାୟୀ, ଗତ ରବିବାର ଦିନ ଥୁଆମୂଳ ରାମପୁର ଥାନା ଦାବିରିଗୁଡା ଗାଁର ମଣ୍ଟୁ ନାଏକ (୨୩) ଓ ଉମାଶଙ୍କର ନାଏକ (୨୫) ବସିଥିବା ବାଇକ୍ ସହିତ ଡୁମେରପଦର ଗାଁର ଫିରୋଜ ନାଏକ ଓ ଦୀପେନ୍ଦ୍ର ନାଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଇଥିଲା । ଫଳରେ ଡୁମେରପଦର ଗାଁର ଫିରୋଜ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ବେଳେ ଦୀପେନ୍ଦ୍ର ନାଏକ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।
ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ନିଧନ ନାଏକ, ନେପାଳ ନାଏକ, ଟିବୁ ନାଏକ, ଲକ୍ଷ୍ମୀକାନ୍ତ ନାଏକ, ଚକ୍ରଧର ନାଏକ ପ୍ରମୁଖଙ୍କୁ କୋର୍ଟ ଚଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ୍ ପଠାଇ ଦିଆଯାଇଛି । ଏଥିସହିତ ଡୁମେରପଦର ଓ ବିରମଲଗୁଡା ଗାଁର ୩୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାମ ମାମଲା ଋଜୁ ହୋଇଥିବା ଜଣାପଡିଛି ।
Comments are closed.