ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରୁ ଏକ ହୃଦୟ ବିଦାରକ ଖବର ଆସିଛି। ଏଠାରେ ପନ୍ଦ୍ରେଥନ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରିଛି। ଏଥି ସହିତ ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ମୃତ ପରିବାର ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳର ବାସିନ୍ଦା ଏବଂ ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ସନ୍ତାନ ସାମିଲ ଅଛନ୍ତି।
ପୀଡ଼ିତଙ୍କ ପରିଚୟ ଏଜାଜ ଅହମ୍ମଦ ଭଟ୍ଟ (୩୮), ତାଙ୍କ ପତ୍ନୀ ସଲୀମା (୩୨) ଏବଂ ତାଙ୍କ ତିନି ସନ୍ତାନ, ଅରିବ (୩), ହମଜା (୧୮) ଏବଂ ଆଉ ଜଣେ ୧ ମାସର ଶିଶୁ। ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପରିବାରର ସମସ୍ତ ପାଞ୍ଚଜଣ ସଦସ୍ୟ ଶୋଇଥିବା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାରେ ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ସିଏମ୍ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି।
ଏହି ପରିବାର ପନ୍ଦ୍ରାଥନରେ ଭଡ଼ାରେ ରହୁଥିଲେ। ଏମାନେ ମୁଖ୍ୟତଃ ବାରାମୂଳାର ବାସିନ୍ଦା ଥିଲେ। ପୂରା ଅଞ୍ଚଳରେ ଅଧିକ ଥଣ୍ଡା ଜାରି ରହିଥିବାରୁ ଘରେ ସମସ୍ତେ କବାଟ ବନ୍ଦ କରି ଶୋଇଥିଲେ। ତେବେ ଘରେ ଜଳା ଯାଇଥିବା ନିଆଁ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ହସ୍ପିଟାଲ ନେଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।