ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ପାଞ୍ଚ ଜଣ ମାଓବାଦୀ ନିହତ। ଏହି ଏନକାଉଣ୍ଟରରେ ଜଣେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଯବାନ ମଧ୍ୟ ସହିଦ ହୋଇଛନ୍ତି। ବିଜାପୁର ଏବଂ ଦାନ୍ତେୱାଡା ସୀମାରେ ନକ୍ସଲ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ରହିଛି । ଉଭୟ ପାର୍ଶ୍ୱରୁ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି।
ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ପାଞ୍ଚ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନକାଉଣ୍ଟରରେ ଆହତ ଜଣେ ଯବାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଛି।
ଚଳିତ ବର୍ଷ ଏପର୍ଯ୍ୟନ୍ତ ଏନକାଉଣ୍ଟରରେ ୨୬୮ ଜଣ ନକ୍ସଲ ନିହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୨୩୯ ଜଣ ବସ୍ତର ଡିଭିଜନରେ ନିହତ ହୋଇଛନ୍ତି।
ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ଯାଇଥିଲେ, ଏହି ସମୟରେ ନକ୍ସଲମାନଙ୍କ ସହିତ ଏକ ଏନକାଉଣ୍ଟର ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ କୋବ୍ରା ସିଆରପିଏଫର ଗୋଟିଏ ବାଟାଲିୟନର ଯବାନମାନେ ଏହି ଅପରେସନରେ ସାମିଲ ଅଛନ୍ତି।
ଏନକାଉଣ୍ଟର ଶେଷ ହେବା ପରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ସୁରକ୍ଷାବଳ କହିଛି।