ବେଙ୍ଗାଲୁରୁ; କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଞ୍ଚଟି ବାଘ ମୃତ ଅବସ୍ଥାରେ ମିଳିଛନ୍ତି । ଏମାନଙ୍କ ମଧ୍ୟରେ ଗୋଟିଏ ମାଆ ବାଘୁଣୀ ରହିଥିବାବେଳେ ଅନ୍ୟ ଚାରୋଟି ଛୁଆ ବାଘ ରହିଛନ୍ତି । ତେବେ କିପରି ଏତେ ବାଘଙ୍କର ଏକା ସାଙ୍ଗରେ ମୃତ୍ୟୁ ହେଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବାବେଳେ, ବିଷକ୍ରିୟା ଯୋଗୁଁ ଏହି ପାଞ୍ଚଟି ବାଘଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ଏହି ଖବର ଜାଣିବା ପରେ କର୍ଣ୍ଣାଟକର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଈଶ୍ୱର ଖଣ୍ଡରେ ଏହି ୫ଟି ବାଘଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଥାପି, ବନ ବିଭାଗ କହିଛି ଯେ ସମସ୍ତ ପ୍ରକ୍ରିୟା ଅନୁସରଣ ଏବଂ ପୋଷ୍ଟମର୍ଟମ କରିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।
ମଧ୍ୟପ୍ରଦେଶ ପରେ କର୍ଣ୍ଣାଟକରେ ବାଘ ସଂଖ୍ୟା ଦ୍ୱିତୀୟ ସର୍ବାଧିକ । ଏଠାରେ ବାଘଙ୍କ ସଂଖ୍ୟା ୫୬୩ ରହିଛି । ବନ୍ୟପ୍ରାଣୀଙ୍କ ସହିତ ବଢ଼ୁଥିବା ସଂଘର୍ଷ, ବିଶେଷକରି ବାଘମାନେ ଗୋରୁଗାଈମାନଙ୍କୁ ଆକ୍ରମଣ ଏବଂ ଶିକାର କରିବା, ଗାଁ ଲୋକଙ୍କୁ ସେମାନଙ୍କୁ ନିପାତ କରିବା ପାଇଁ ପ୍ରାୟତଃ ବିଷ ଏବଂ ଫାଶର ଆଶ୍ରୟ ନେବାକୁ ବାଧ୍ୟ କରୁଛି । ବନ ବିଭାଗ ଟିମ୍ ମୃତ ବାଘମାନଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ଜଙ୍ଗଲ ମନ୍ତ୍ରୀ ଈଶ୍ୱର ଖଣ୍ଡରେ ଏକାସାଙ୍ଗରେ ୫ଟି ବାଘଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଏହି ଘଟଣାର ଗମ୍ଭୀରତାର ସହିତ ତଦନ୍ତ କରାଯିବ ।
ବନ ଅଧିକାରୀମାନେ କହିଛନ୍ତି ଯେ, ବାଘଟି କିଛି ଦିନ ପୂର୍ବରୁ ଏକ ଗାଈକୁ ମାରି ଦେଇଥିଲା । ଏହି ବାଘଗୁଡ଼ିକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି । ତାଙ୍କୁ କିଛି ଖାଦ୍ୟ ଦିଆଯାଇଥିଲା ଯେଉଁଥିରେ ବିଷ ମିଶା ହୋଇଥାଇପାରେ । ବିଷାକ୍ତ ଖାଦ୍ୟ ଯୋଗୁଁ ବାଘୁଣୀ ଏବଂ ତା’ର ଛୁଆମାନଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ବନ ବିଭାଗ କହିଛି ।
Comments are closed.