ନୂଆଦିଲ୍ଲୀ: ଭାରତର ଜାତୀୟ ପତାକା ତ୍ରିରଙ୍ଗା ଆମ ଦେଶର ଗର୍ବର ପ୍ରତୀକ । ପବନରେ ଗର୍ବର ସହିତ ଉଡ଼ୁଥିବା ତ୍ରିରଙ୍ଗା ଦେଖିଲେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲିଯାଏ । ଆଉ ମାତ୍ର କେଇଟା ଦିନ, ସ୍ବାଧୀନତାର ୭୯ ବର୍ଷର ସ୍ବାଦକୁ ପୁଣି ଥରେ ଚାଖିବ ପ୍ରତିଟି ଭାରତବାସୀ । ଅଗଷ୍ଟ ୧୫ରେ ଦେଶରେ କୋଣ ଅନୁକୋଣରେ ସ୍ବାଧୀନତାର ସ୍ପର୍ଶ ଦେବ ପବନରେ ଉଡୁଥିବା ତ୍ରିରଙ୍ଗା । ହେଲେ କ’ଣ ଆପଣ ଜାଣନ୍ତି, ଶକ୍ତି, ଶାନ୍ତି, ଧର୍ମ ଏବଂ ଏକତାର ବାର୍ତ୍ତା ଦେଉଥିବା ଆଜିର ତ୍ରିରଙ୍ଗା, ୭୯ ବର୍ଷ ପୂର୍ବେ କିପରି ଦେଖାଯାଉଥିଲା? ଆଜିର ଦେଶର ପତାକା ନିଜର ତ୍ରିରଙ୍ଗା ରୂପ ଧାରଣ କରିବା ପୂର୍ବରୁ କେତେ ଡିଜାଇନ୍ ଦେଇ ଗତି କରିଥିଲା? ଏହାକୁ ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ? ଆସନ୍ତୁ ଜାଣିବା ଭାରତର ଜାତୀୟ ପତାକାର ଐତିହାସିକ ଇତିହାସ…
ଭାରତୀୟ ଜାତୀୟ ପତାକା, ଅର୍ଥାତ୍ ତ୍ରିରଙ୍ଗାକୁ ଏହାର ବର୍ତ୍ତମାନର ରୂପକୁ ଆସିବା ପୂର୍ବରୁ ଅନେକ ପରିବର୍ତ୍ତନ ଦେଇ ଗତି କରିବାକୁ ପଡିଥିଲା । ୧୮୫୭ ରୁ ୧୯୪୭ ମଧ୍ୟରେ ତ୍ରିରଙ୍ଗାର ଅତି କମରେ ୭ ଟି ପ୍ରମୁଖ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା ଏବଂ ସର୍ବଶେଷରେ ୧୯୪୭ରେ ଭାରତକୁ ଏହାର ଜାତୀୟ ପତାକା ତ୍ରିରଙ୍ଗା ମିଳିଥିଲା ।
ପ୍ରଥମେ ୧୮୫୭ ମସିହାରେ ଭାରତରେ ସ୍ୱାଧୀନତା ପାଇଁ ପ୍ରଥମ ସଂଗଠିତ ଯୁଦ୍ଧରେ ବ୍ୟବହାର ହୋଇଥିଲା ଭାରତର ଦେଶର ପ୍ରଥମ ପ୍ରତୀକ । ସବୁଜ ପୃଷ୍ଠଭୂମିରେ ଚନ୍ଦ୍ର ଏବଂ ପଦ୍ମ ଫୁଲ । କୁହାଯାଏ ଏହାକୁ ବାହାଦୁର ଶାହ ଜାଫର ଉତ୍ତୋଳନ କରିଥିଲେ ।
![]()
୧୯୦୪ରୁ ୧୯୦୬ ମଧ୍ୟରେ ସ୍ବାମୀ ବିବେକାନନ୍ଦଙ୍କ ଶିଷ୍ୟା ଭଗିନୀ ନିବେଦିତାଙ୍କ ଦ୍ବାରା ଏକ ପତାକା ଡିଜାଇନ୍ କରାଯାଇଥିଲା । ଏହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଜାତୀୟ ପତାକା । ଯେଉଁଥିରେ ଦୁଇଟି ରଙ୍ଗ ଥିଲା, ହଳଦିଆ ଏବଂ ଲାଲ। ଲାଲ ରଙ୍ଗ ସ୍ୱାଧୀନତା ପାଇଁ ସଂଘର୍ଷକୁ ବୁଝାଉଥିବା ବେଳେ ହଳଦିଆ ରଙ୍ଗ ବିଜୟର ପ୍ରତୀକ । ଆଉ ମଝିରେ ବଙ୍ଗଳାରେ ଲେଖାଯାଇଥିଲା ‘ବନ୍ଦେ ମାତରମ୍’ । ଏଥିରେ ଏକ ବଜ୍ର ଚିହ୍ନ ମଧ୍ୟ ଥିଲା, ଯାହାକୁ ଇନ୍ଦ୍ରଙ୍କ ଅସ୍ତ୍ର ବୋଲି ବିବେଚନା କରାଯାଏ। ଯାହା କିଛି ଏପରି ଦେଖାଯାଉଥିଲା ।
![]()
ଏହାପରେ ପୁଣି ୧୯୦୬ ମସିହାରେ ଆଉ ଏକ ଜାତୀୟ ପତାକା ଆସିଥିଲା। ଯେଉଁଥିରେ ଆଜିର ପତାକା ଭଳି ୩ଟି ରଙ୍ଗ ଥିଲା । ଉପରେ ସବୁଜ, ମଝିରେ ହଳଦିଆ ଏବଂ ତଳେ ଲାଲ । ଉପର ରଙ୍ଗରେ କିଛି ପଦ୍ମ ଫୁଲ ଧାଡି ହୋଇଥିଲା । ମଝିରେ ଦେବନାଗରୀରେ “ବନ୍ଦେ ମାତରମ୍” ଲେଖାଯାଇଥିଲା । ଆଉ ତଳ ପଟିରେ ଚନ୍ଦ୍ର ଏବଂ ସୂର୍ଯ୍ୟ ଅଙ୍କିତ ହୋଇଥିଲା । ଯାହାକୁ ୭ ଅଗଷ୍ଟ ୧୯୦୬ରେ କୋଲକାତାର ପାର୍ସି ବାଗାନ ଚୌକରେ ଉତ୍ତୋଳନ କରାଯାଇଥିଲା।
![]()
ଏହାପରେ ପୁଣି ୧୯୦୭ରେ ଆଉ ଏକ ପତାକା ଉତ୍ତୋଳନ ହେଲା । ଯାହା ଏହାର ୧୯୦୬ ଡିଜାଇନ ସହ ସମାନ ଥିଲା । ଯେଉଁଥିରେ ପଦ୍ମ ସ୍ଥାନରେ କେବଳ ସପ୍ତଋଷି ତାରା ରହିଥିଲେ । ଭିକାଜୀ କାମା କିଛି ନିର୍ବାସିତ କ୍ରାନ୍ତିକାରୀଙ୍କ ସହିତ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏହି ପତାକା ଉତ୍ତୋଳନ କରିଥିଲେ ।
![]()
ଏହାପରେ ୧୯୧୭ ମସିହାରେ, ଗୃହ ନିୟମ ଆନ୍ଦୋଳନ ସମୟରେ ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକ ଭାରତର ଆଉ ପତାକା ଉତ୍ତୋଳନ କରିଥିଲେ। ଏହି ପତାକାରେ ପାଞ୍ଚଟି ଲାଲ ଭୂସମାନ୍ତର ପତାକା ସହିତ ସାତଟି ତାରା ଦେଖାଯାଇଥିଲା। ଯାହା କିଛି ଏପରି ଦେଖାଯାଇଥିଲା । ଏହା ବର୍ତ୍ତମାନର ବ୍ରିଟିଶ ପତାକା ସହ ଟିକେ ଖାପ ଖାଉଛି ।
![]()
ପରେ ୧୯୨୧ ମସିହାରେ, ପିଙ୍ଗାଲି ଭେଙ୍କେୟା ଆଉ ଏକ ପତାକା ଡିଜାଇନ୍ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ। ଏହି ପତାକାରେ ଧଳା, ସବୁଜ ଏବଂ ଲାଲ ରଙ୍ଗ ବ୍ୟବହାର କରାଯାଇଥିଲା ଏବଂ ମଝିରେ ଏକ ଅରଟ ଥିଲା ।
![]()
ଏହାର ଠିକ୍ ୧୦ ବର୍ଷ ପରେ, ଅର୍ଥାତ୍ ୧୯୩୧ ମସିହାରେ, ପିଙ୍ଗାଲି ଭେଙ୍କେୟାଙ୍କ ପତାକାରେ କିଛି ପରିବର୍ତ୍ତନ କରାଯାଇଥିଲା। ଯେଉଁଥିରେ କେବଳ ଲାଲ ରଙ୍ଗକୁ କେସର ରଙ୍ଗରେ ପରିବର୍ତ୍ତନ କରାଯାଇଥିଲା । ଏହାକୁ କଂଗ୍ରେସ ମାନ୍ୟତା ଦେଇ କମିଟିର ସରକାରୀ ପତାକା ଭାବରେ ଗ୍ରହଣ କରିଥିଲା । ଯାହାକୁ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜ ମଧ୍ୟ ଗ୍ରହଣ କରିଥିଲା ।
/kanak/media/post_attachments/wp-content/uploads/2018/07/258843-flag-4.jpg)
ଏହାପରେ ଶେଷରେ ୧୯୪୭ ମସିହାର ଜୁଲାଇ ମାସରେ ଆସିଥିଲା ଆଜିର ତ୍ରିରଙ୍ଗା । ଯେତେବେଳେ ପିଙ୍ଗାଲି ଭେଙ୍କେୟାଙ୍କ ପତାକାକୁ ଭାରତୀୟ ସମ୍ବିଧାନ ସଭା ସ୍ୱାଧୀନ ଭାରତର ଜାତୀୟ ପତାକା ଭାବରେ ଗ୍ରହଣ କରିଥିଲା। ଯେଉଁଥିରେ ଚରଖା ସ୍ଥାନରେ ଅଶୋକଙ୍କ ଧର୍ମଚକ୍ରକୁ ସାମିଲ କରାଯାଇଥିଲା ।
![]()
କି ବାର୍ତ୍ତା ଦେଉଛି ତ୍ରିରଙ୍ଗା?
ଭାରତୀୟ ପତାକାରେ କେସର ରଙ୍ଗ ଶକ୍ତିକୁ ପ୍ରତିନିଧିତ୍ୱ କରେ। ସେହିପରି ଧଳା ରଙ୍ଗ ଶାନ୍ତିକୁ, ସବୁଜ ରଙ୍ଗ ସବୁଜତା ଏବଂ ସମୃଦ୍ଧିକୁ ଦର୍ଶାଏ। ତ୍ରିରଙ୍ଗା ମଝିରେ ନିର୍ମିତ ଅଶୋକ ଚକ୍ର ଜୀବନର ନିରନ୍ତର ଗତିଶୀଳତାର ପ୍ରତୀକ ଦିଏ ।
Comments are closed.