Latest Odisha News

BREAKING NEWS

ହାଣ୍ଡିଶାଳରୁ ପିଆଜ ଉଭାନ; ବର୍ଷ ଶେଷରେ ଖାଉଟି ହେଲେ ହନ୍ତସନ୍ତ

ଭୁବନେଶ୍ୱର: ୨୦୧୯ ବର୍ଷରେ ଦେଶବ୍ୟାପୀ ପିଆଜର ଆକାଶଛୁଆଁ ଦରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବଳ ଓଡିଶା ନୁହେଁ ଦେଶର ସମସ୍ତ ରାଜ୍ୟରେ ହୁ ହୁ ହୋଇ ୨୦ ଟଙ୍କାରୁ ୨୦୦ ଟଙ୍କା କୁ ଛୁଇଁଥିଲା ପିଆଜ ଦର।

ଖାଲି ସେତିକି ନୁହେଁ ଏହି ପିଆଜକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ କୌତୁକିଆ ଫୋଟୋ ସହିତ ଭିଡ଼ିଓ କ୍ଲିପସ୍ ଚର୍ଚ୍ଚାରେ ଉଷ୍ମତା ଆଣି ଦେଇଥିଲା ।

୨୦୧୯ ର ଶେଷ ଭାଗରେ ହାଣ୍ଡିଶାଳରୁ ଉଭାନ ହୋଇଯାଇଥିଲା ଅତି ଦରକାରୀ ପିଆଜ । ଖାଉଟି ମହଲରେ ପିଆଜ ଲାଗି ଭାଲେଣି ପଡିବା ପରେ ୧ କିଲୋଗ୍ରାମ ବଦଳରେ ୨୫୦ଗ୍ରାମ ପିଆଜରେ ସନ୍ତୁଷ୍ଟ ହୋଇଥିଲେ ଜନସାଧାରଣ ।

ନଭେମ୍ବର ଓ ଡିସେମ୍ବର ମାସରେ ପିଆଜର ଦରବୃଦ୍ଧିକୁ ଲକ୍ଷ୍ୟ କରି ଖାଉଟି ଏକରକମ ପିଆଜ ଖାଇବା ଛାଡ଼ିଦେଇଥିଲେ ।

ଏହି ଦରବୃଦ୍ଧିକୁ ନେଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ହେବା ସହ ରାସ୍ତାଘାଟରେ ଆନ୍ଦୋଳନ ଏଯାଏଁ ଜାରି ରହିଛି ।

ଦରବୃଦ୍ଧିର କାରଣ:

ଅଦିନିଆ ବର୍ଷା ଯୋଗୁଁ ସାରା ଦେଶରେ ପିଆଜ ଚାଷ କ୍ଷତିଗ୍ରସ୍ତ ହୋଇଛି । ପିଆଜର ଏନ୍ତୁଡ଼ିଶାଳ କୁହାଯାଉଥିବା ମହାରାଷ୍ଟ୍ରର ନାସିକରୁ ପିଆଜ ଆମଦାନୀ କମ୍ ହେଉଥିବା କାରଣରୁ ଦରବୃଦ୍ଧି ଭଳି ସଙ୍କଟ ଦେଖାଦେଇଥିଲା ।

ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଅଦିନିଆ ବୃଷ୍ଟିପାତ ଯୋଗୁଁ ପିଆଜ ଚାଷ ନଷ୍ଟ ହୋଇଯାଇଛି, ସେଥିପାଇଁ ଓଡିଶା ବଜାରରେ ପିଆଜରେ ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିଲା ।

ଦେଶର ଦୈନିକ ଆବଶ୍ୟକତା ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ହୋଇଥିବାବେଳେ କେନ୍ଦ୍ର ସରକାର ବିଦେଶରୁ ମାତ୍ର ୧ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଉଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଥିଲା ।

ସେହିପରି ଓଡ଼ିଶାର ଯେତିକି ଜମିରେ ପିଆଜ ଚାଷ ହୁଏ, ଚଳିତ ବର୍ଷ ସେଥିରୁ ୨୬ ପ୍ରତିଶତ କମ୍ ଜମିରେ ଚାଷ ହୋଇଛି ।

ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିଯିବାରୁ ରାଜ୍ୟ ବାହାରୁ ପିଆଜ ଆସିବା ବାଟ ବନ୍ଦ ହେବା ଫଳରେ ପରିସ୍ଥିତି ସଙ୍ଗୀନ ହୋଇଥିବା ଯୋଗାଣ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ।

ଖାଉଟି ଭୋଗିଲେ ନାହିଁନଥିବା ଅସୁବିଧା:

ଗରିବ ପଖାଳ କଂସାର ସାଥି କୁହାଯାଉଥିବା ପିଆଜକୁ କ୍ରୟ କରିବା ସାମର୍ଥ୍ୟ ହରାଇ ବସିଲେ ସାଧାରଣ ଲୋକ । ଦେଖୁ ଦେଖୁ ପିଆଜ ଦର ଆକାଶଛୁଆଁ ହୋଇଗଲା ସାରାଦେଶରେ। ଯାହାକୁ ନେଇ ଖାଉଟି ଚିନ୍ତାରେ ରହିଛନ୍ତି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶର ସ୍ଥାନେ ସ୍ଥାନେ ପିଆଜ ଦର କିଲୋ ପିଛା ୧୮୦ ରୁ ୨୦୦ ଟଙ୍କା ଯାଏଁ ପହଞ୍ଚିଗଲା।

ପିଆଜର ଏଭଳି ଅହେତୁକ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଦେଲା। ପ୍ରତ୍ୟେକ ଦିନ ଦର ବଢ଼ି ବଢ଼ି ଚାଲିବାରୁ ଘରଖର୍ଚ୍ଚ ପାଇଁ ୧କିଲୋ ଜାଗାରେ ଅଢ଼େଇଶ କିମ୍ବା ଅଧା କେଜି ପିଆଜ କିଣିବାକୁ ଲୋକ ବାଧ୍ୟ ହେଲେ ।

ଏହି ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟି ଅନେକ ହନ୍ତସନ୍ତ ମଧ୍ୟ ହେଲେ। ଖୁଚୁରା ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ ନ ଥିବାରୁ ସେମାନେ ମନଇଚ୍ଛା ଦର ବଢ଼ାଇ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ଆସିଲା।

ବିଦେଶରୁ ପିଆଜ ଆଣିବାକୁ ବାଧ୍ୟ ହେଲେ ସରକାର:

ଖାଉଟି ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁର୍କୀ ଓ ଇଜିପ୍ଟରୁ ସରକାର ୧୭ ହଜାର ୯୦ ମେଟ୍ରିକ୍‌ ଟନ୍‌ ପିଆଜ ଆମଦାନୀ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ ।

ପିଆଜକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା:

ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିବାଦ ଦେଖିବାକୁ ମିଳିଥିଲା । କେଉଁଠି ପିଆଜକୁ କଡା ସୁରକ୍ଷା ବଳୟ ମଧ୍ୟରେ ନିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଅନ୍ୟ କେଉଁଠି ତରକାରୀରେ ପିଆଜ ପକାଇବା ବଦଳରେ ଅଧିକ ଦର ଯୋଗୁଁ ତାକୁ ପାଖରେ ରଖି ଶୁଙ୍ଘି ଶୁଙ୍ଘି ଖାଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା।

ବାରଣାସୀରେ ଏକ ଯୋଡ଼ା ବର-ବଧୂ ବରଣମାଳରେ ପରସ୍ପରକୁ ପିଆଜ ମାଳ ପିନ୍ଧାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ମଧ୍ୟ ପିଆଜ ଦର ୧୨୦ ଟଙ୍କା ବିକ୍ରି ହେଉଛି । ତେବେ ପିଆଜ ଦର ଆଜିଯାଏଁ ନିୟନ୍ତ୍ରଣ ମଧ୍ୟକୁ ଆସି ନଥିବା ବେଳେ ଆଗାମୀ ଦିନରେ ଓଡ଼ିଶାରେ ପିଆଜ ଅମଳ ପରେ ଦର ନିୟନ୍ତ୍ରଣକୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଓଡ଼ିଶାକୁ କେବେ କେବେ ଆଳୁର ଆମଦାନୀ ହ୍ରାସ ପାଇଥିବା ଯୋଗୁଁ ଆଳୁର ଦାମ ବଢିଥିବାର ନଜିର ରହିଛି । ପିଆଜର ଦର ମଧ୍ୟ କେଉଁ କେଉଁ ବର୍ଷ ବଢିଥାଏ । ମାତ୍ର ୨୦୧୯ ବର୍ଷରେ ପିଆଜ ଦର ସବୁ ରେକର୍ଡକୁ ଭାଙ୍ଗି ଦେଇଛି ।

ପିଆଜକୁ ନେଇ ଏମିତି ଚର୍ଚ୍ଚା ଆଲୋଚନା ଏବଂ ଗଣମାଧ୍ୟମରେ ତର୍କ ବିତର୍କ ଶିର୍ଷରେ ପହଞ୍ଚିଥିଲା ।

ବର୍ଷର ପ୍ରାରମ୍ଭରେ ହୋଇଥିବା ସାଧାରଣ ନିର୍ବାଚନର ଉଷ୍ମତାକୁ ବହୁ ମାତ୍ରାରେ ଟପି ଯାଇଥିଲା ବର୍ଷ ଶେଷରେ ପିଆଜର ଚାବୁକ ପ୍ରହାର ।

ଭୋଟର ହୁଅନ୍ତୁ କି ଖାଉଟି ସମସ୍ତଙ୍କ ପାଇଁ ୨୦୧୯ର ପିଆଜ ଦର ସ୍ମରଣୀୟ ହୋଇ ରହିବ ।

Leave A Reply

Your email address will not be published.