Latest Odisha News

BREAKING NEWS

‘ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବେ ସାନ୍ଥାଳୀ ଲେଖକ

ଭୁବନେଶ୍ୱର: ସାନ୍ଥାଳୀ ଲେଖକ କାଳି ଚରଣ ହେମ୍ବ୍ରମଙ୍କୁ ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଲାଗି ମନୋନୀତ କରାଯାଇଛି । ତାଙ୍କୁ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଓଡିଶାରୁ ଦ୍ୱିତୀୟ ଲେଖକ ଭାବେ ଶ୍ରୀ ହେମ୍ବ୍ରମଙ୍କୁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ତାଙ୍କ ପୂର୍ବରୁ ପୂର୍ବତନ ବ୍ୟୁରୋକ୍ରାଟ୍ ତଥା ଓଡିଆ ଲେଖକ ତରୁଣକାନ୍ତି ମିଶ୍ରଙ୍କୁ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ମନୋନୀତ କରାଯାଇଛି ।

ପୁରସ୍କାର ବିଜେତା ପୁସ୍ତକରେ ସାନ୍ଥାଳୀ ଭାଷାରେ ୧୫ଟି ଲଘୁ କାହାଣୀ ସ୍ଥାନ ପାଇଛି । ଯେଉଁଥିରେ ଆଦିବାସୀ ଲୋକ ଓ ତାଙ୍କର ସଂଘର୍ଷର କାହାଣୀ ବର୍ଣ୍ଣିତ ରହିଛି ।

“ମୁଁ ପୁରସ୍କାର ପାଉଥିବାରୁ ଅତ୍ୟନ୍ତ ଖୁସି ଅଛି ଏବଂ ଏହା ଆଗାମୀ ଦିନରେ ମୋତେ ଅଧିକରୁ ଅଧିକ ଲେଖିବା ପାଇଁ ପ୍ରେତ୍ସାହିତ କରିବ” ବୋଲି ଶ୍ରୀ ହେମ୍ବ୍ରମ୍ କହିଛନ୍ତି ।

ପ୍ରତିବର୍ଷ ଏହି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଶିଷ୍ଟ ଲେଖକମାନଙ୍କୁ ସେମାନଙ୍କର ସାରସ୍ୱତ ସାଧନା ଲାଗି ପୁରସ୍କୃତ କରାଯାଇଥାଏ । ଆସନ୍ତା ୨୦୨୦ ମସିହା ଫେବୃଆରୀ ୨୫ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ଏକ ତାମ୍ରପତ୍ର ସହ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.