Latest Odisha News

BREAKING NEWS

ବିପଦରେ କେନ୍ଦ୍ରାପଡା ଜିଲ୍ଲା: ଡରାଇଲାଣି ଆଇଆଇଟି, ସରକାରଙ୍କୁ ଦେଲା ସତର୍କ ଘଣ୍ଟି

ଭୁବନେଶ୍ବର: ଭୟଙ୍କର ସ୍ଥିତିରେ ଗତି କରୁଛି କେନ୍ଦ୍ରପଡା । କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଏବଂ ମରୁଡି ଆଶଙ୍କା ସବୁଠୁ ଅଧିକ ରହିଛି । ଦେଶର ମୋଟ ୧୧ଟି ଜିଲ୍ଲା ଏଭଳି ସ୍ଥିତି ଦେଇ ଗତି କରୁଥିବା ବେଳେ ଏହା ମଧ୍ୟରେ ଓଡିଶାରୁ କେନ୍ଦ୍ରାପଡା ସ୍ଥିତି ବିପଦରେ ଥିବା ସତର୍କ କରାଯାଇଛି । ଏଥିସହିତ ବିହାରର ପଟନା, କେରଳର ଅଲପୁଜା ଏବଂ ଓଡିଶାର କେନ୍ଦ୍ରାପଡା ସମତେ ମୋଟ ୧୧ଟି ଜିଲ୍ଲା ବନ୍ୟା ଏବଂ ମରୁଡି ପ୍ରବଣ ଅଞ୍ଚଳ ଭାବେ ଅଧିକ ବିପଦରେ ରହିଛି । ଯାହା ଆଗକୁ ବଡ ବିପଦ ଆଣିବା ନେଇ ଆଶଙ୍କା ।

ତେବେ ଆଇଆଇଟି ଗୁହାଟି ଓ ମଣ୍ଡି, ବେଙ୍ଗାଲୁରୁର ସେଣ୍ଟର ଅଫ ଷ୍ଟଡି ଅଫ ସାଇନ୍ସ, ଟେକନୋଲୋଜି ଏବଂ ପଲିସି ସହ ମିଳିତ ଭାବେ ଅଧ୍ୟୟନ କରି ଏଭଳି ଚାଞ୍ଚଲ୍ୟ ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟ କହୁଛି, ରାଜ୍ୟର କେନ୍ଦ୍ରାପଡା ଜିଲ୍ଲା ସମେତ ଦେଶର ୧୧ଟି ଜିଲ୍ଲାରେ ଆଗକୁ ଭୟଙ୍କର ବନ୍ୟା ଏବଂ ମରୁଡି ସ୍ଥିତି ଦେଖାଦେବ । ଏନେଇ ସରକାରଙ୍କୁ ବେଳ ଥାଉ ଥାଉ ସାବଧାନ ହେବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ଦେଶର ଦୁଇ ବଡ ବଡ ଆଇଆଇଟି ସଂସ୍ଥା । ଗଛ ନ ସଫା କରି କିପରି ଏହାର ପରିସ୍ଂସ୍ଥକୁ ଆହୁରି ବୃଦ୍ଦି କରାଯିବ ସେନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି । ନହେଲେ ଆଗକୁ ସ୍ଥିତି ସଙ୍ଗୀନ ହୋଇପାରେ ।

ତେବେ ଦେଶର ଦୁଇ ପ୍ରମୁଖ ଆଇଆଇଟି ସଂସ୍ଥା ସେମାନଙ୍କ ଜଳବାୟୁ ବିପଦ ମୂଲ୍ୟାଙ୍କନ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ, ଦେଶର ୧୧ଟି ଜିଲ୍ଲା, ଯେଉଁଥିରେ ଓଡିଶାର କେନ୍ଦ୍ରାପଡା, ବିହାରର ପାଟନା ଏବଂ କେରଳର ଅଲପୁଜା ରହିଛି, ଏହି ସ୍ଥାନମାନଙ୍କରେ ଉଭୟ ବନ୍ୟା ଏବଂ ମରୁଡିର ଭୟଙ୍କର ସ୍ଥିତି ଉପୁଜିପାରେ । ଯାହାର ବିପଦ ସଂକେତ ‘very high’ ରହିଛି । ଏଥିସହିତ ଦେଶର ୫୧ ଜିଲ୍ଲାରେ କେବଳ ବନ୍ୟା ଆଶଙ୍କା ରହିଥିବା ବେଳେ ଏଠି ବିପଦ ସଂକେତ ‘very high’ ରହିଛି । ଏଥିରେ ଆହୁରି ୧୧୮ ଟି ଜିଲ୍ଲା ଅନ୍ତର୍ଭୁକ୍ତ ରହିଥିବା ବେଳେ ସେଠି ବିପଦ ସଂକେତ ‘high’ ରହିଛି । ଯାହାମଧ୍ୟରେ ଓଡିଶା, ଆସାମ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟ ଏବଂ ଜମ୍ମୁ-କଶ୍ମୀର ପ୍ରମୁଖ ରହିଛି ।

ଅନ୍ୟପକ୍ଷରେ ଭୟଙ୍କର ମରୁଡି ଆଶଙ୍କା ନେଇ ଦେଶର ୯୧ ଜିଲ୍ଲାକୁ ସତର୍କ କରାଯାଇଛି । ଯାହାର ବିପଦ ସଂକେତ ‘very high’ ରହିଛି । ଆଉ ୧୮୮ ଜିଲ୍ଲା ‘high’ ମରୁଡି ଆଶଙ୍କା କରାଯାଇଛି । ଯାହା ମୁଖ୍ୟତଃ ଓଡିଶା,ବିହାର, ଆସାମ, ଝାରଖଣ୍ଡ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟର ଜିଲ୍ଲା ରହିଛି ।

ତେବେ ଦେଶରେ ବର୍ତ୍ତମାନ ପରିବର୍ତ୍ତିତ ଜଳବାୟୁ ଚିନ୍ତା ବଢାଇଥିବା ବେଳେ ଏଭଳି ସଙ୍କେତ ଏବେ ଆଉ ଏକ ମୁଣ୍ଡ ବିନ୍ଧାର କାରଣ ସାଜିଲାଣି । ଯାହାକୁ ସମୟ ପୂର୍ବରୁ ସୁଧରିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆଇଆଇଟି ଗବେଷକ ।

Comments are closed.