Latest Odisha News

BREAKING NEWS

ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ। ବର୍ଷା ପାଣିରେ ବୁଡିଲା ପୋଲ। କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି ୯୦ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍‌ ହୋଇଛି । ସେହିପରି ପାଙ୍ଗମ, ଏମ୍‌ଭି ୭, ଏମ୍‌ଭି ୯୦ ଆଦି ଅନେକ ପୋଲରେ ୧୦ ଫୁଟ ପାଣି ପ୍ରବାହିତ ହେଉଛି।

ପୋଟେରୁ ସହରର ଅନେକ ଘର ଭିତରେ ବର୍ଷା ପାଣି ପଶିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବାଇକ । ମାଲାକାନଗିରିରୁ ମୋଟୁ, କାଲିମେଳାରୁ ମୋଟୁ, କାଲିମେଳାରୁ ପଡିଆ ଓ ୩ ରାଜ୍ୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଓ ରାସ୍ତା ଉପରେ ପାଣି ଯୋଗୁଁ ଯାତାୟାତ ଠପ୍ ହୋଇଛି।

ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଥ‌ିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ମାନେ ସଜାଗ ରହିଛନ୍ତି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଉପରେ ନଜର ରଖୁଛନ୍ତି । କାଲିମେଳା ବିଡିଓ, ମୋଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରୀ ବର୍ଷା ପାଣିରେ ବୁଡିଯାଇଥିବା ପୋଲ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି।

ଅନ୍ୟପଟ ରବିବାର ବିଳମ୍ବିତ ରାତିରେ ବର୍ଷାର ପରିମାଣ ବଢିଛି। ଫଳରେ ମାଲକାନଗିରି ଏବଂ କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ମୋଟୁ ଏବଂ ଜୟପୁରକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏପରିକି ମାଲକାନଗିରି ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ଥାନାରୁ ରାମ ମନ୍ଦିର ଯାଏ ୩ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି।

Comments are closed.