Latest Odisha News

BREAKING NEWS

ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି, ସଜାଗ ପ୍ରଶାସନ

ମାଲକାନଗିରି: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଜିଲ୍ଲା । ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ରାସ୍ତାଘାଟ ବନ୍ଦ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୬୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ସେମାନଙ୍କ ମଧ୍ୟରୁ ୫୪ ଜଣ ଗର୍ଭବତୀ ଉଦ୍ଧାର ହୋଇଛନ୍ତି, ସେହିପରି ଆଶ୍ରୟସ୍ଥଳୀରେ ୨୨ ଜଣ ଅଛନ୍ତି । ତେବେ ଉଦ୍ଧାର ହୋଇଥିବା ଲୋକଙ୍କୁ ୧୫ଟି ସେଲ୍ଟର ହୋମ୍‌ରେ ରଖା ଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଶ୍ରୟସ୍ଥଳରେ ରହିବା, ଖାଇବା ସହ ମେଡିକାଲ୍ ବ୍ୟବସ୍ଥା ହୋଇଛି । ପୋଟେରୁରେ ପିଇବା ପାଣି ପାଇଁ ୪ଟି ପାଣି ଟାଙ୍କିର ବ୍ୟବସ୍ଥା ହୋଇଛି । ସେହିପରି ସିଏଚ୍‌ସି, ପିଏଚ୍‌ସିରେ ସାପ କାମୁଡ଼ା ଭ୍ୟାକ୍ସିନ୍ ମହଜୁଦ୍ ରହିଛି । ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତି କାରଣରୁ ୧୧୫୨୦ ଉପଭୋକ୍ତା ବିଦ୍ୟୁତରୁ ବଞ୍ଚିତ ହୋଇଛନ୍ତି । ୨୪ ଘଣ୍ଟା ଭିତରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ ଜିଲ୍ଲାରେ ଲଗାଣ ବର୍ଷା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପ୍ରମୁଖ ଶାସନ ସଚିବ, ବିଷ୍ଣୁପଦ ସେଠୀ, ଅଗ୍ନିଶମ ବିଭାଗ ଡିଜି, ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଓ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି, ଚରଣ ସିଂ ମୀନା ମାଲକାନଗିରି ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରି ବିଭିନ୍ନ ବିଭାଗ ସହ ସମୀକ୍ଷା ବୈଠକ କରିଛନ୍ତି।

 

Comments are closed.