Latest Odisha News

ବେହାଲ ବାଲେଶ୍ବର: ନଦୀବନ୍ଧ, ଘର ଛାତ ସାଜିଛି ସାହାରା

ବାଲେଶ୍ବର: ବନ୍ୟାରେ ବେହାଲ ହୋଇପଡିଛି ବାଲେଶ୍ବର । ଘର ଭିତରେ ବାହାରେ ସବୁଠି ପାଣି । କିଛି ସ୍ଥାନରେ ପାଣି ଛାତ ଛୁଇଁଥିବା ବେଳେ ଏବେ ନଦୀବନ୍ଧ ଓ କୋଠାଘର ଛାତ ସାଜିଛି ସାହାରା । ତମ୍ବୁ ଟାଣି ତା ତଳେ କିଏ ଆଶ୍ରୟ ନେଇଛନ୍ତି ତ ଆଉ କିଏ ସେମିତି ପଡିରହିଛନ୍ତି । କ’ଣ ଖାଇବେ କେମିତି ଅନ୍ଧାରରେ ଦିନ ବିତିବ ଏଇଆ ଭାବି ଭାବି ହନ୍ତସନ୍ତ ହେଉଛନ୍ତି ବାଲେଶ୍ବର ବାସୀ ।

ଏବେ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ ପାଣି ଘେରରେ ରହିଛି । ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି। ତାହାରି ଭିତରେ ଅତି ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି ଲୋକେ । ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶମାର୍ଗରେ ଯାଇ ସ୍ଥିତି ପରଖିଛନ୍ତି । ଲୋକଙ୍କୁ ରିଲିଫ ବ୍ୟବସ୍ଥା ବି ଯୋଗାଇ ଦିଆଯାଉଛି । ହେଲେ ସେଥିରେ ବି ପ୍ରଶାସନ ବ୍ୟତିକ୍ରମ କରିଥିବା ଅଭିଯୋଗ କରିଛନ୍ତି ଲୋକେ ।

ସେହିପରି ମୟୂରଭଞ୍ଜର ଜିଲ୍ଲାର ୨୨ଟି ବ୍ଲକ, ୧୦୧ଟି ଗାଁ ଏବଂ ବାରିପଦା ସହର ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇ ଦୁର୍ବିସହ ହୋଇପଡିଛି । ବନ୍ୟାରେ ୨୦୩୫ ଜଣ ପ୍ରଭାବିତ ହୋଇଥିବା ବେଳେ ଏଯାବତ ୧୬୦ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ୫ଟି ବ୍ଲକ, ୨୨ଟି ଗାଁ ଏବଂ ୧୧୬୦ ଲୋକ ବନ୍ୟା ବିତ୍ପାତରେ ପ୍ରଭାବିତ ହୋଇଛନ୍ତି ବୋଲି ରିପୋର୍ଟ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.