ଦୁବାଇ: ଫ୍ଲାଇଦୁବାଇ ବିମାନରେ କୋ-ପାଇଲଟ୍ ନିଜର ମୁଖ୍ୟ ପାଇଲଟଙ୍କୁ ଜରୁରୀ କାଳିନ କୁରାଢ଼ିରେ ଆକ୍ରମଣ କରିବା ଘଟଣାକୁ ସଂଯୁକ୍ତ ଅରବ ଏମିରେଟ୍ସର ଆଟୋର୍ନୀ ଜେନେରାଲ ଏକ ‘ଆତଙ୍କବାଦୀ’ ଆକ୍ରମଣର ପ୍ରଚେଷ୍ଟା ବୋଲି ବର୍ଣ୍ଣନା କରିଛନ୍ତି। ସରକାରୀ ସମ୍ବାଦ ସଂସ୍ଥା ଅନୁଯାୟୀ, ଆଟୋର୍ନୀ ଜେନେରାଲ ହମାଦ ସୈଫ ଅଲ ସାମସୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଅଭିଯୁକ୍ତ କୋ-ପାଇଲଟଙ୍କ ନାମ ହମ୍ମାମ ଅଲ-ହାମ୍ମାମୀ ବୋଲି ଚିହ୍ନଟ କରାଯାଇଛି , ଯିଏ ଓମାନର ନାଗରିକ। ସେ ଦୁବାଇରୁ ତେଲ ଆଭିଭ୍ ଯାଉଥିବା FZ1073 ବିମାନର କୋକପିଟ୍ ଭିତରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହେଉଥିବା କୁରାଢ଼ି ସାହାଯ୍ୟରେ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚାରଙ୍କୁ ଅଚାନକ ଆକ୍ରମଣ କରି ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲେ।
୧୭୦ ରୁ ଅଧିକ ଯାତ୍ରୀ ଓ କ୍ରୁ ସଦସ୍ୟ ଥିବା ଏହି ବିମାନରେ ଯାତ୍ରୀ ଏବଂ ବିମାନ କର୍ମଚାରୀମାନେ ମିଳିମିଶି ସାହସର ସହ କୋ-ପାଇଲଟଙ୍କୁ କାବୁ କରିନେବାରୁ ଏକ ଭୟଙ୍କର ଦୁର୍ଘଟଣା ଟଳିଯାଇଥିଲା। ଏହି ସଂଘର୍ଷ ସମୟରେ ବିମାନଟି ମାତ୍ର ୩୦ ସେକେଣ୍ଡ ମଧ୍ୟରେ ପ୍ରାୟ ୧୬,୬୨୫ ଫୁଟ ତଳକୁ ଖସିଆସିଥିଲା* ।
ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ଅବସରପ୍ରାପ୍ତ ପାଇଲଟ୍ ତୁରନ୍ତ ବିମାନର ନିୟନ୍ତ୍ରଣ ନେଇ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଇଥିଲେ, ଯେଉଁଠାରେ ସାଉଦି କର୍ତ୍ତୃପକ୍ଷ ଅଭିଯୁକ୍ତକୁ ଗିରଫ କରିଥିଲେ। ଏହି ଆକ୍ରମଣ ପରେ ଇସ୍ରାଏଲର ବିମାନ ସେବା ‘ଏଲ୍ ଅଲ୍’ ଦୁବାଇରୁ ନିଜର ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ରଦ୍ଦ କରିଦେଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଅଭିଯୁକ୍ତ କୋ-ପାଇଲଟ୍ ଉଗ୍ରବାଦୀ ଚିନ୍ତାଧାରାରେ ପ୍ରଭାବିତ ଥିଲେ। ଏହି ଘଟଣା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର କିମ୍ବା ସଂଗଠନର ହାତ ଅଛି କି ନାହିଁ, ସେ ନେଇ ୟୁଏଇ, ସାଉଦି ଆରବ ଏବଂ ଇସ୍ରାଏଲର ତଦନ୍ତକାରୀ ଦଳ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି।

