ନୂଆଦିଲ୍ଲୀ: ଫ୍ଲାଇଂ ରିଭର୍ ବା ଉଡନ୍ତା ନଦୀ । ଏମିତି ନାଁ କେବେ ଶୁଣିଛନ୍ତି କି ? ବୋଧହୁଏ ଏହି ଶବ୍ଦ ଶହ ଅନେକ ପରିଚିତ ନଥିବେ । କିନ୍ତୁ ଏଭଳି ଉଡନ୍ତା ନଦୀ ଓ ବାୟୁମଣ୍ଡଳୀୟ ନଦୀ ଭାରତରେ ବିନାଶକାରୀ ବର୍ଷା ଓ ବନ୍ୟାର କାରଣ ହୋଇଛନ୍ତି ।
ଏମିତି ତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଭାରତର ଅନେକ ଅଂଚଳ ପ୍ରଭାବିତ ହୁଏ । ବର୍ଷା ଦିନେ ବନ୍ୟା ତ ସ୍ୱାଭାବିକ ଘଟଣା । କିନ୍ତୁ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏକ ସୃଷ୍ଟି ହୋଇଛି ଏକ ନୂଆ ପରିସ୍ଥିତି । ଅଚାନକ ବହୁତ କମ୍ ସମୟରେ ମୂଷଳଧାରା ବର୍ଷା ହୋଇଗଲା ପରେ ଦୀର୍ଘ ଦିନ ଧରି ପାଣି ଟୋପେ ବି ପଡୁନି । ବର୍ଷାରେ ଦେଖାଦେଇଛି ଅନିୟମିତତା । ଏଥିପାଇଁ ବାୟୁମଣ୍ଡଳରେ ସୃୃଷ୍ଟି ହେଉଥିବା ଏକ ବିଶେଷ ପରିସ୍ଥିତିକୁ ଦାୟୀ କରିଛନ୍ତି ବୈଜ୍ଞାନିକ ।
ଗ୍ଲୋବାଲ ୱାର୍ମିଂ କାରଣରୁ ଆର୍ଦ୍ରତାରେ ଅତ୍ୟଧକ ବୃଦ୍ଧି ସହ ଏକ ପ୍ରକାର ଝଡ ପରିସ୍ଥିତିକୁ ଆହୁରି ବିଗାଡି ଦେଉଛି । ଏ ପ୍ରକାର ଝଡକୁ ଅଟମୋସ୍ଫୋରିକ ରିଭର ବା ବାୟୁମଣ୍ଡଳୀୟ ନଦୀ କୁହାଯାଏ ।
ଆକାଶରେ ସୃଷ୍ଟି ହେଉଥିବା ଏଭଳି ଝଡକୁ ଫ୍ଲାଇଂ ରିଭର ବା ଉଡନ୍ତା ନଦୀ ବୋଲି କହନ୍ତି । ଉତ୍ତପ୍ତ ସମୁଦ୍ରରେ ବାଷ୍ପୀକରଣ ଯୋଗୁଁ ଆକାଶରେ ସୃଷ୍ଟି ହୁଏ ଅଦୃଶ୍ୟ ଝଡ । ଏଥିଯୋଗୁଁ ଅଚାନକ ଅସ୍ୱାଭାବିକ ପ୍ରବଳ ବର୍ଷା ହୁଏ । ଏସବୁ ଫ୍ଲାଇଂ ରିଭର ମୋଟ ଜଳୀୟ ବାଷ୍ପର ୯୦ ପ୍ରତିଶତ ଅଂଶ ନେଇ ଚଳମାନ ହୁଅନ୍ତି । ପୃଥିବୀର ମଧ୍ୟ ଅକ୍ଷାଂଶ ଉପରେ ଦେଇ ଯାଇଥାଆନ୍ତି ଫ୍ଲାଇଂ ରିଭର । ଆମାଜନ ଭଳି ବିଶାଳ ନଦୀରେ ବହୁଥିବା ପାଣିର ପ୍ରାୟ ଦୁଇଗୁଣା ପାଣି ଫ୍ଲାଇଂ ରିଭରରେ ଥାଏ । ତେଣୁ ପ୍ରଭାବ ଭୟାବହ ହୋଇଥାଏ ।
ବୈଜ୍ଞାନିକମାନେ କହନ୍ତି ଯେ, ଦିନକୁ ଦିନ ବାୟୁମଣ୍ଡଳୀୟ ନଦୀ ସଂପ୍ରସାରିତ ହେବା ସହ ଅଧିକ ଶକ୍ତିଶାଳୀ ହେଉଛି । ଏହାର ଏକମାତ୍ର କାରଣ ପୃଥିବୀର ତାପମାତ୍ରାରେ ବୃଦ୍ଧି । ପାଣିପାଗ ବିଜ୍ଞାନୀଙ୍କ ମତରେ ଭାରତ ମହାସାଗର ଗରମ ହେଉଥିବାରୁ ଦେଶରେ ଫ୍ଲାଇଂ ରିଭର ସୃଷ୍ଟି ହେଉଛି । ଏଥିଯୋଗୁଁ ଜୁନରୁ ସେପଟେମ୍ବର ଯାଏଁ ମୌସୁମୀ ବର୍ଷା ପ୍ରଭାବିତ ହୁଏ । ନେଚର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗତ ୨୦ ବର୍ଷ ମଧ୍ୟରେ ୮୦ ପ୍ରତିଶତ ବିପଜ୍ଜନକ ବାୟୁମଣ୍ଡଳୀୟ ନଦୀ ଭାରତରେ ବିନାଶକାରୀ ବନ୍ୟାର କାରଣ ହୋଇଛି । ଗୋଟିଏ ଉଡନ୍ତା ନଦୀ ହାରାହାରି ଭାବେ ୨୦୦୦ କିଲୋମିଟର ଲମ୍ବା ଓ ୫୦୦ କିଲୋମିଟର ଓସାର ହୋଇଥାଏ । ମଣିଷ ଆଖିକୁ ଦେଖାଯାଏ ନାହିଁ ଏ ପ୍ରକାର ଆକାଶୀ ନଦୀ । ଆଜିକାଲି ବାୟୁମଣ୍ଡଳୀୟ ନଦୀ ସଂଖ୍ୟା ବଢୁଥିବାରୁ ପରିବେଶ ପାଇଁ ଏକ ନୂଆ ଚ୍ୟାଲେଂଜ ସୃଷ୍ଟି ହୋଇଛି ।
Comments are closed.