Latest Odisha News

BREAKING NEWS

ଫୋକସ ମାଲକାନଗିରି : କାର୍ଯ୍ୟାନୁଷ୍ଠାନର ଭୟ ନାହିଁ; ସ୍ବାଭିମାନ ଅଞ୍ଚଳ ପାଲଟିଛି ଗଞ୍ଜେଇ ଚାଷର ଭୂସ୍ବର୍ଗ

ମାଲକାନଗିରି: ଗଞ୍ଜେଇ ଚାଷ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ଥିବା ଗାଁଗୁଡ଼ିକ ପାଇଁ ଯେମିତି କୁଟୀର ଶିଳ୍ପ ପାଲଟିସାରିଲାଣି। ବାଲିମେଳା ଜଳଭଣ୍ଡାର ନିକଟବର୍ତ୍ତୀ ଶତାଧିକ ଗାଁର ଲୋକେ ଏହି ଚାଷରେ ମାତିଛନ୍ତି। ଏଥିରୁ ଲାଭ ଏତେ ଅଧିକ ଯେ ସେମାନେ ଲୋଭରେ ପଡ଼ି ନିଜ ଜୀବନକୁ ମଧ୍ୟ ବିପନ୍ନ କରିବାକୁ ପଛାଉନାହାନ୍ତି। ‘ ମୁଁ ବାଲିମେଳା ଜଳଭଣ୍ଡାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କିଛି ବର୍ଷ ହେଲା ଗଞ୍ଜେଇ ଚାଷ କରିଆସୁଛି। ଯଦିଓ ପୁଲିସ ଓ ଅବକାରୀ ବିଭାଗର ଭୟ ରହିଛି; କିନ୍ତୁ ଲାଭ ବହୁତ ଅଧିକ ରହୁଛି’। ତେଣୁ ମୁଁ ଦ୍ଵିତୀୟ ଚିନ୍ତା କରୁନାହିଁ ବୋଲି ବାଲିମେଳା ଜଳ ଭଣ୍ଡାର ପାଖ ସ୍ଵାଭିମାନ ଅଞ୍ଚଳର ବଡ଼ପଦର ପଞ୍ଚାୟତ ପଣସଗୋଡ଼ି ଗାଁର ଜଣେ ବାସିନ୍ଦା କହିଛନ୍ତି।

ସୂଚନା ଅନୁସାରେ ସ୍ଵାଭିମାନ ଅଞ୍ଚଳର ୭ ପଞ୍ଚାୟତର ଲୋକେ ଗଞ୍ଜେଇ ଚାଷ କରିଆସୁଛନ୍ତି। ହଜାର ହଜାର ଏକର ଜମିରେ ଗଞ୍ଜେଇ ଚାଷ ହେବା ସହ, ଗାଁ ଭିତରେ ମଧ୍ୟ ଛୋଟ ଛୋଟ ଜାଗାରେ ଲୋକମାନେ ଚାଷ କରୁଛନ୍ତି। ମାଫିଆମାନେ ମଞ୍ଜି ଓ ସାର ଦେଉଛନ୍ତି। ଢାଲୁ ଅଞ୍ଚଳରେ ଚାଷ ହେଉଛି। ଯଦି ପୁଲିସ କି ଅବକାରୀ ବିଭାଗର ଚଢ଼ଉ ହେଲା ତେବେ ଚାଷ କରୁଥିବା ଲୋକର ବିଶେଷ କିଛି କ୍ଷତି ହେଉନାହିଁ। ଏହା ଛଡ଼ା ଗଞ୍ଜେଇ ଚାଷ ବଢ଼ିବା ପଛରେ ମାଓବାଦୀମାନଙ୍କ ପ୍ରଚ୍ଛନ୍ନ ପ୍ରୋତ୍ସାହନ ରହୁଛି। ସେମାନଙ୍କ ସାହସରେ କିଛି ଗ୍ରାମବାସୀ ଏ ଚାଷ କରିଆସୁଛନ୍ତି। ମାଫିଆମାନେ ଆର୍ଥିକ ସାହାଯ୍ୟ ଦେଉଛନ୍ତି ଆଉ ମାଓବାଦୀମାନେ ସୁରକ୍ଷା ଦେଉଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ବିସ୍ତୀର୍ଣ୍ଣ ପାହାଡ଼ିଆ ଅଞ୍ଚଳ ଓ ଥଣ୍ଡା ପାଣିପାଗ ପାଇଁ ଏଠାକାର ମାଟି ଗଞ୍ଜଇ ଚାଷ ପାଇଁ ବେଶ ଅନୁକୂଳ। ଏହାଛଡ଼ା ଘଞ୍ଚ ଜଙ୍ଗଲ ପାଇଁ ଚାଷକୁ ସୁରକ୍ଷା ମିଳେ। ପୁଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଏତେ ସହଜ ହୁଏନି। ଏହାର ଅର୍ଥ ଯେ ଚଢ଼ଉ ହେଉନି; ତାହା ନୁହେଁ ବୋଲି କହିଛନ୍ତି ସମ୍ପୃକ୍ତ ପୁଲିସ ଅଧିକାରୀ।

ଯଦିଓ ମାଓବାଦୀମାନେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉ ନ ଥିବା ବାରମ୍ବାର କହିଆସୁଛନ୍ତି; କିନ୍ତୁ ଗୁଇନ୍ଦା ସୂଚନା ଅନୁସାରେ ଗଞ୍ଜେଇ ଚାଷକରୁଥିବା ଲୋକମାନଙ୍କୁ ସେମାନେ ସୁରକ୍ଷା ଦେଉଛନ୍ତି। କାରଣ ଘଞ୍ଚ ଗଞ୍ଜେଇ ଜଙ୍ଗଲ ଭିତରେ ସେମାନଙ୍କୁ ଚଳପ୍ରଚଳ କରିବା ସୁବିଧା ହୁଏ।
ଏହି ବିସ୍ତୀର୍ଣ୍ଣ ପାହାଡ଼ିଆ ଅଞ୍ଚଳ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼କୁ ପରିବ୍ୟାପ୍ତ। ଏହି ଅଞ୍ଚଳରେ ମାଓବାଦୀମାନେ ନିରାପଦରେ ଚଳପ୍ରଚଳ କରିପାରୁଛନ୍ତି। ମାଓବାଦୀଙ୍କ ଚଳପ୍ରଚଳ ଯୋଗୁ ଗଞ୍ଜେଇ ଚାଷୀ ଓ ମାଫିଆ ଏ ଅଞ୍ଚଳକୁ ସେମାନଙ୍କ ପାଇଁ ସ୍ଵର୍ଗ ମଣୁଛନ୍ତି। କିନ୍ତୁ ନିରୀହ ଆଦିବାସୀମାନେ ପୁଲିସ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ହେଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଗଞ୍ଜେଇ ଚାଷ ମାଓବାଦୀଙ୍କ ପ୍ରଭାବ ଥିବା ଅଞ୍ଚଳରେ ଅଧିକ ହେଉଛି। ଏହା ଗଞ୍ଜେଇ ଚାଷପାଇଁ ମାଓବାଦୀଙ୍କ ପ୍ରୋତ୍ସାହନ ଥିବା କଥାକୁ ପ୍ରମାଣିତ କରୁଛି। ସ୍ଥାନୀୟ ଆଦିବାସୀମାନେ ଗଞ୍ଜେଇ ଚାଷରେ କେବଳ ଶ୍ରମିକ ଭାବେ କାମ କରନ୍ତି। କିନ୍ତୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ମାଫିଆମାନେ ଏଥିପାଇଁ ଟଙ୍କା ଖର୍ଚ୍ଚ କରନ୍ତି। ଚାଷୀମାନେ କେଜି ପ୍ରତି ୩ଶହରୁ ୪ଶହ ଟଙ୍କାରେ ଗଞ୍ଜେଇ ବିକ୍ରି କରିଦିଅନ୍ତି। କିନ୍ତୁ ଏହା ଥରେ ଠିକଣାସ୍ଥାନରେ ପହଞ୍ଚିଗଲେ ଏହାର ମୂଲ୍ୟ କେଜିପ୍ରତି ୧୦ହଜାରରୁ ଅଧିକ ହୋଇଯାଏ।

ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଚେଷ୍ଟା ଚାଲିଛି। ରାଜ୍ୟ ବାହାରେ ରହି ଏହି ଚାଷକୁ ନିୟନ୍ତ୍ରଣ କରୁଥିବା ଲୋକଙ୍କୁ ସ୍କାନରକୁ ଅଣାଯିବ। କୋରାପୁଟ ଓ ନବରଙ୍ଗପୁରର ଗଞ୍ଜେଇ ମାଫିଆମାନଙ୍କ ସମ୍ପତ୍ତି ଜବତ କରାଯାଇଛି। ଆଗକୁ ଏ ଅଭିଯାନ ଜୋରଦାର ହେବ ବୋଲି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାଲକାନଗିରିରୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ମୁଖ୍ୟତଃ ସଡ଼କପଥରେ ହିଁ ହୋଇଥାଏ। ମାଫିଆମାନେ ଖଇରପୁଟ-ଅନକାଡେଲି ପର୍ଯ୍ୟନ୍ତ ନେଇଥାନ୍ତି। ସେଠାରୁ ଏହାର ଚୂଡ଼ାନ୍ତ ଠିକଣାକୁ ପଠାଇଦିଆଯାଏ। ସେହିଭଳି ଗଞ୍ଜେଇ ଚାଲାଣର ଆଉ ଗୋଟେ ରୁଟ୍ ହେଉଛି ଖଇରପୁଟରୁ ଗୋବିନ୍ଦପାଲି, ବୈପାରିଗୁଡ଼ା ଓ କୋଟପାଡ଼। ସେଠାରୁ ଭାୟା ଜଗଦଲପୁର ଦେଇ ଅନ୍ୟ ରାଜ୍ୟକୁ ଚାଲାଣ ହୁଏ। ତେବେ ରାସ୍ତାରେ ପୁଲିସ ରେଡ୍ ହେଉଥିବାରୁ ମାଫିଆମାନେ ସେମାନଙ୍କ ରୁଟ୍ ବଦଳାଇଦେଇଛନ୍ତି। ଜଙ୍ଗଲ ଭିତରେ ମାଇଲ ମାଇଲ୍ ରାସ୍ତା ଗଞ୍ଜେଇ ମୁଣ୍ଡରେ ବୋହି ବୋହି ନେଇ ନିର୍ଧାରିତ ସ୍ଥାନରେ ପହଞ୍ଚାଉଛନ୍ତି। ସେଠାରୁ ଗାଡ଼ି ମୋଟରରେ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି।

ଯଦିଓ ଜଙ୍ଗଲ ଭିତରେ ପୁଲିସ ଓ ଅବକାରୀ ବିଭାଗ ପହଞ୍ଚିବା କଷ୍ଟକର; କିନ୍ତୁ ପୁଲିସ, ଅବକାରୀ ଓ ରାଜସ୍ଵ ବିଭାଗର ମିଳିତ ଚଢ଼ଉରେ ବିପୁଳ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ‘ ଆମେମାନେ ମାଲକାନଗିରି ଜିଲ୍ଲାରେ ୫୪୨୯ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛୁ। ଏହି ଅଭିଯାନରେ ଆମେ ୧୦,୬୦୦ କେଜି ଗଞ୍ଜେଇ ମଧ୍ୟ ଜବତ କରିଛୁ। ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯିବା ସହ ୪୦ ଗାଡ଼ି ଜବତ କରାଯାଇଛି। ଆମେ ଗଞ୍ଜେଇ ଚାଷ ପ୍ରତି ଶୂନସହନଶୀଳତା ନୀତି ଗ୍ରହଣ କରିଛୁ’। ଆମେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଚେଷ୍ଟା ଚଳାଇଛୁ ବୋଲି ମାଲକାନଗିରି ଏସପି ହୃଷୀକେଶ ଖିଲାରୀ କହିଛନ୍ତି । ଏତେ ଚଢ଼ଉ ଏତେ ଗିରଫଦାରି ସତ୍ତ୍ଵେ ସ୍ଥାନୀୟ ଲୋକେ ଗଞ୍ଜେଇ ଚାଷ ବନ୍ଦ କରିନାହାନ୍ତି। ବରଂ ଅଧିକ ଲାଭର ଲୋଭରେ ମାଫିଆଙ୍କ ସହ ମିଶି ଚାଷ ବଢ଼ାଇବାରେ ଲାଗିଛନ୍ତି।

Comments are closed.