Latest Odisha News

BREAKING NEWS

ଗଞ୍ଜାମରେ ‘ଫୁଟବଲ ଫର୍‌ ଅଲ୍‌’; ବଣ୍ଟା ହେଲା ୨୮ଶହ ବଲ୍‌

ବ୍ରହ୍ମପୁର:ରାଜ୍ୟରେ ଫୁଟବଲ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ‘ଫୁଟବଲ ଫର୍‌ ଅଲ୍‌’ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବଣ୍ଟନ କରାଯାଉଛି। ଗଞ୍ଜାମ ଜିଲାରେ ଏହି ଯୋଜନାରେ ଫୁଟବଲ ବଣ୍ଟନ କରାଯାଇଛି। ଜିଲାର ୬୨୮ଟି ହାଇସ୍କୁଲରେ ୨ହଜାର ୮ଶହଟି ଫୁଟବଲ ବଣ୍ଟନ କରାଯାଇଛି। ଏନେଇ ବିଦ୍ୟାଳୟଗୁଡ଼ିକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଗଞ୍ଜାମ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥୀ ସ୍ବାଇଁଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଭିତ୍ତିଭୂମିକୁ ଦେଖି ଫୁଟବଲ ପ୍ରଦାନ କରାଯାଇଛି। ଏହି କ୍ରମରେ ଯେଉଁଠି ବିଦ୍ୟାଳୟରେ ଖେଳ ଭିତ୍ତିଭୂମି ନାହିଁ, ସେଠାରେ ୨ଟି ଫୁଟବଲ ବଣ୍ଟନ ହୋଇଛି। ସେହିଭଳି ଭିତ୍ତିଭୂମି ଅନୁଯାୟୀ ୪ଟି, ୬ଟି, ୮ଟି ଏବଂ ୧୦ଟି ଫୁଟବଲ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ବଣ୍ଟନ କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରେ ଆୟୋଜନ ହେଉଥିଲା। ବୁଧବାର ଏହା ଶେଷ ହୋଇଛି। ସମସ୍ତ ୬୨୮ଟି ବିଦ୍ୟାଳୟରେ ଫୁଟବଲ ବଣ୍ଟନ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବ୍ଲକ ମୁଖ୍ୟାଳୟରେ ଥିବା ବିଦ୍ୟାଳୟ ଏବଂ ବଡ଼ ବଡ଼ ବିଦ୍ୟାଳୟଗୁଡ଼ିକୁ ୧୦ଟି ଲେଖାଏଁ ଫୁଟବଲ ଦିଆଯାଇଛି। ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ ପାଇଁ ପୂର୍ବରୁ ଶିକ୍ଷକମାନଙ୍କ ସହ ଆଲୋଚନା ହୋଇଥିଲା। ସେହି କ୍ରମରେ ଫୁଟବଲ ଯୋଗାଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଫୁଟବଲ ପାଇବା ପରେ ଖୁସୀ ପ୍ରକାଶ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ, କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ୍‌ ଚାଲିଛି। ରାଜ୍ୟରେ ଫୁଟବଲକୁ ପ୍ରସିଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୯ ତାରିଖରେ ‘ଫୁଟବଲ ଫର୍‌ ଅଲ୍‌’ ଯୋଜନାର ଘୋଷଣା କରିଥିଲେ। ପ୍ରଥମେ କେବଳ ୫-ଟି ବିଦ୍ୟାଳୟରେ ବଣ୍ଟନ ପାଇଁ ଯୋଜନା ଥିଲା। ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ଟି ବିଦ୍ୟାଳୟର ରୂପାନ୍ତରିତ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୧୦୭ଟି ଏବଂ ଚତୁର୍ଥ ପର୍ଯ୍ୟାୟରେ ୧୫୫ଟି ବିଦ୍ୟାଳୟର ରୂପାନ୍ତରଣ ହେବାକୁ ଯାଉଛି। କିନ୍ତୁ କେବଳ ରୂପାନ୍ତରିତ ବିଦ୍ୟାଳୟରେ ଫୁଟବଲ ବଣ୍ଟନ ଫଳରେ ଅନେକ ବିଦ୍ୟାଳୟ ଏଥିରୁ ବଞ୍ଚିତ ହେଉଥିଲେ। ଏନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତାଙ୍କ ଅନୁମୋଦନ ପରେ ଅଧିକ ସଂଖ୍ୟକ ବିଦ୍ୟାଳୟକୁ ଫୁଟବଲ ଫର ଅଲ୍‌ ଯୋଜନାରେ ସାମିଲ କରାଯାଇଥିଲା। ଆଉ ଏହି ସଂଖ୍ୟା ୬୨୮ରେ ପହଞ୍ଚିଥିଲା। ବଣ୍ଟନ ହୋଇଥିବା ଫୁଟବଲର ଦାମ୍‌ ୨୪୯୯ ଟଙ୍କା ହୋଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି। ରାଜ୍ୟର ୨ ହଜାର ସ୍କୁଲରେ ୪୩ହଜାର ଫୁଟବଲ ବଣ୍ଟନ ପାଇଁ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ ଦ୍ବାରା ଆମ ରାଜ୍ୟରେ ତୃଣମୂଳସ୍ତରରେ ଫୁଟବଲ୍ ଖେଳର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ। ଓଡ଼ିଶାରେ ଫୁଟବଲ ଖେଳର ବିକାଶ ପାଇଁ କିଟ୍-କିସ୍‌ ଭାଗିଦାରୀରେ ଫିଫା ଦ୍ବାରା ଏହି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.