Latest Odisha News

BREAKING NEWS

ଅଗ୍ନିବୀରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ସୁଯୋଗ ତିଆରି କରାଯାଉଛି -ଧର୍ମେନ୍ଦ୍ର ପ୍ରଧାନ

ହମିରପୁର:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଦ୍ୱାରା ଯୁବବର୍ଗଙ୍କୁ ସର୍ବୋତମ ଅଗ୍ନିବୀର କରିବାର କଳ୍ପନା ରହିଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ହିମାଚଳ ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ମୋଦି ସରକାରଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣର ପୂର୍ତି ଅବସରରେ ହମିରପୁର ଠାରେ ଆୟୋଜିତ ‘ତ୍ରିଦେବ ସମ୍ମିଳନୀ’ରେ ଯୋଗଦେଇ ସେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶର ସେନାବାହିନୀରେ ଯୁବଶକ୍ତି ବଢ଼ାଇବା ସହ ସେନାକୁ ଆଧୁନିକ ଓ ସଶକ୍ତ କରିବା ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଛି । ଅଗ୍ନିବୀରମାନେ ସେନାବାହିନୀରେ ୪ ବର୍ଷ ସେବା କରିବା ପରେ ଚାକିରିର ନୂଆ ସୁଯୋଗ ସହ ଯୋଡ଼ିବା ପାଇଁ ଅନେକ ସମ୍ଭାବନା ତିଆରି କରାଯାଉଛି । ଅଗ୍ନିବୀରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଉଦ୍ୟୋଗ ଜଗତ ସରକାରୀ ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି । ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ସୁବିଧା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହୋଇଛି ।

ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । କାର୍ଯ୍ୟର ଅଭିଜ୍ଞତାକୁ ନେଇ ମଧ୍ୟ କ୍ରେଡ଼ିଟରେ ରୂପାନ୍ତରିତ କରାଯିବା ନେଇ ନୀତିରେ ଉଲ୍ଲେଖ ରହିଛି । ଅର୍ଥାତ୍ କୌଣସି ପ୍ରଶିକ୍ଷଣକୁ ଦ୍ୱାରା ତାହାକୁ କ୍ରେଡ଼ିଟ୍ ଫ୍ରେମୱାର୍କରେ ଯୋଡ଼ିବାର ଯୋଜନା କରାଯାଉଛି । ଏହି ଆଧାରରେ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ ନିଜର ସ୍ୱାୟତ ସଂସ୍ଥା, ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନଆଇଓଏସ୍‌) ମାଧ୍ୟମରେ ଏକ ବିଶେଷ କାର୍ଯ୍ୟକ୍ରମର ଆରମ୍ଭ କରୁଛି ।

ଏହି କାର୍ଯ୍ୟକ୍ରମ ଦ୍ୱାରା ଇଚ୍ଛୁକ ଦଶମ ଶ୍ରେଣୀ ପାସ୍ ଅଗ୍ନିବୀରମାନଙ୍କୁ କଷ୍ଟମାଇଜଡ୍ ପାଠ୍ୟକ୍ରମ ମାଧ୍ୟମରେ ନିଜର ଶିକ୍ଷାକୁ ଆଗକୁ ବଢ଼ାଇ ୪ ବର୍ଷ ସେବା ଶେଷ ହେବା ପରେ ଦ୍ୱାଦଶ ଶ୍ରେଣୀ ପାସ୍ ସାର୍ଟିଫିକେଟ୍ ଯୋଗାଇ ଦିଆଯିବ । ଏହି ସାର୍ଟିଫିକେଟ୍ ସାରା ଦେଶରେ ନିଯୁକ୍ତି ଏବଂ ଉଚ୍ଚ ଶିକ୍ଷା ଉଦ୍ଦେଶ୍ୟରେ ସ୍ୱୀକୃତିପ୍ରାପ୍ତ ହେବ । ଏହା କେବଳ ବର୍ତମାନ ସମୟ ପାଇଁ ନୁହେଁ ବରଂ ଅଗ୍ନିବୀଙ୍କ ସେବା କ୍ଷେତ୍ର ପାଇଁ ବହୁତ ପ୍ରାସଙ୍ଗିକ ଅଟେ । ଏହା ଅଗ୍ନିବୀରଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷଣ ଯୋଗ୍ୟତା ଏବଂ କୌଶଳ ପ୍ରାପ୍ତ କରିବା ଦିଗରେ ଲାଭଦାୟକ ହେବ । ଏହାବ୍ୟତିତ ଯୁକ୍ତ ୨ ପାସ କରିଥିବା ଅଗ୍ନିବୀରଙ୍କୁ ସ୍ନାତକ ସାର୍ଟିଫିକେଟ୍ ଏବଂ ସ୍ନାତକ କରିଥିବା
ଅଗ୍ନିବୀରଙ୍କୁ ମଧ୍ୟ ପରୀକ୍ଷା ଆଧାରରେ ଉଚ୍ଚ ଶିକ୍ଷା ପ୍ରମାଣ ପତ୍ର ଦେବାର ଯୋଜନା କରାଯାଉଛି । ଅନୁରୂପ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଅତିରିକ୍ତ କୌଶଳ ସହ ସେମାନଙ୍କୁ ସେନାବାହିନୀ ନିଯୁକ୍ତିରେ ରହିବା ପାଇଁ ଅଧିକ ଦକ୍ଷ କରିବା ଦିଗରେ ମଧ୍ୟ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗ କରିବ । ସମସ୍ତ ଅଗ୍ନିବୀର ମାନଙ୍କୁ ସେବାରେ ରହିବା ସମୟରେ ସ୍କିଲ ଇଣ୍ଡିଆ ସାର୍ଟିଫିକେଟ୍ ଯୋଗାଇ ଦିଆଯିବ । ଏହା ଅଗ୍ନିବୀର ମାନଙ୍କୁ ଉଦ୍ୟୋଗ ଏବଂ ଚାକିରି ଭୂମିକା ଗୁଡିକରେ ଅନେକ ପ୍ରକାରର ସୁଯୋଗ ପାଇବା ନିମନ୍ତେ ସକ୍ଷମ କରାଇବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ହିମାଚଳ ପ୍ରଦେଶ କେବଳ ଦେବଭୂମି ବରଂ ବୀର ମାନଙ୍କର ଭୂମି ମଧ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଯୋଜନାର ଲାଭ ହିମାଚଳ ପ୍ରଦେଶର ସବୁ ଘରେ ଘରେ ପହଁଚିଛି । ଏହି କଲ୍ୟାଣକାରୀ ଯୋଜନାର ଲାଭ ଶତପ୍ରତିଶତ ଲୋକଙ୍କ ପାଖରେ ପହଁଚାଇବାକୁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଦେଶର ସୁରକ୍ଷାରେ ହିମାଚଳ ପ୍ରଦେଶର ବୀର ସନ୍ତାନ ମାନଙ୍କର ଅନେକ ଯୋଗଦାନ ରହିଛି । ସେବା, ସୁଶାସନର ସଂସ୍କୃତି ଦ୍ୱାରା ହିମାଚଳ ପ୍ରଦେଶରେ ମୋଦି ସରକାରଙ୍କ ହାତମୁଠାକୁ ମଜବୁତ୍ କରିବା ପାଇଁ ବିଜେପିକୁ ଜିତାଇବା ପାଇଁ ସମବେତ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ମଣ୍ଡି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ,ସନ୍ଧୋଲର ଶିଳାନ୍ୟାସ ଓ ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ, ଧର୍ମପୁରକୁ ଉଦଘାଟନ କରିଥିଲେ । ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.