Latest Odisha News

ପ୍ରଥମ ଥର ପାଇଁ ଆଣ୍ଡାମାନର ଜରାୱା ଜନଜାତିକୁ ମିଳିଲା ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଜରାୱା ଜନଜାତିକୁ ଭୋଟର ତାଲିକାଭୁକ୍ତ କରାଯାଇଛି। ଏହି ସମ୍ପ୍ରଦାୟର ୧୯ ଜଣ ସଦସ୍ୟଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିଛି ପ୍ରଶାସନ। ସେମାନଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଆଣ୍ଡାମାନ ମୁଖ୍ୟ ଶାସନ ସଚିବ ଚନ୍ଦ୍ର ଭୂଷଣ କୁମାର କହିଛନ୍ତି, ଆଧୁନିକ ସଭ୍ୟ ସମାଜ ସହ ଏମାନଙ୍କର ସଂପୃକ୍ତି ନ ଥିବାରୁ ସେମାନେ ଏକାନ୍ତବାସରେ ରହିବାକୁ ପସନ୍ଦ କରିଥାନ୍ତି। ତେବେ ସେମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ଘଟଣା। ତେବେ ଚନ୍ଦ୍ର ଭୂଷଣ ନିଜେ ଏହି ଜନଜାତିଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି।

ଏନେଇ ସେ କହିଛନ୍ତି, ପ୍ରଥମେ ଏହି ସଂପ୍ରଦାୟର ଲୋକେ ଭୋଟର ପରିଚୟ ପ୍ରକ୍ରିୟାରେ ସାମିଲ ହେବାକୁ କୁଣ୍ଠାବୋଧ କରୁଥିଲେ। ତେବେ ‘ଆଣ୍ଡାମାନ ଆଦିମ ଜନଜାତି ବିକାଶ ସମିତି’ କର୍ମକର୍ତ୍ତାମାନେ ପ୍ରବର୍ତ୍ତାଇବା ପରେ ସେମାନେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଜରାୱା ଜନଜାତି ଆଣ୍ଡାମାନର ମୂଳ ଅଧିବାସୀ ହୋଇଥିବାବେଳେ ସେମାନେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଜୀବିକା ଉପାର୍ଜନ କରିଥାନ୍ତି। ସମାଜର ମୁଖ୍ୟ ସ୍ରୋତରୁ ଅଲଗା ରହିଥିବା ଏହି ଜନଜାତି ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାରେ ବିଶ୍ବାସ କରିଥାନ୍ତି।

Comments are closed.