ଅନୁଗୁଳ: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହୋଇଛି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାତକୋଶିଆରେ ପକ୍ଷୀମାନଙ୍କର ବିବିଧତା ଓ ପ୍ରଜାତି ବିଷୟରେ ତଥ୍ୟ ସଂଗ୍ରହଣ କରାଯିବ। ସବୁଠାରୁ ମଜା କଥା ହେଲା ଇ-ବାର୍ଡ ଆପରେ ପକ୍ଷୀମାନଙ୍କ ସମସ୍ତ ତଥ୍ୟ ଅପ୍ଲୋଡ୍ କରାଯାଇ ଲୋକମାନଙ୍କ ପାଇଁ ସହଜରେ ଉପଲବ୍ଧ କରାଯିବ।
୧୯ ମାର୍ଚ୍ଚ ୨୦୨୩ରୁ ଆରମ୍ଭ ହୋଇଥିବା ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ରାଜ୍ୟ ଏବଂ ରାଜ୍ୟ ବାହାରର ବିଶେଷଜ୍ଞ ଓ ଆଗ୍ରହୀ ଯୁବକଯୁବତୀ। ବିହାର ଓ ଛିତଶଗଡ଼ର ଆଦି ରାଜ୍ୟରୁ ପ୍ରାୟ ୩୦ ଆଗ୍ରହୀ ଯୁବକଯୁବତୀ ଏହି ସର୍ବେକ୍ଷଣ କାର୍ଯ୍ୟରେ ସାମିଲ ହୋଇଛନ୍ତି।
ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା କାର୍ଯ୍ୟରେ କେବଳ ଜଳପକ୍ଷୀ ଗଣନା କରାଯାଉଥିଲା। ହେଲେ ଏହି ଟିମ୍ ସମସ୍ତ ପ୍ରକାର ପକ୍ଷୀ ପ୍ରଜାତିର ତଥ୍ୟ ସଂଗ୍ରହଣ କରିବେ। ଯାହା ରାଜ୍ୟ ପାଇଁ ପ୍ରଥମ ଘଟଣା ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ଅନୁଗୁଳ ଡିଏଫଓ କହିଛନ୍ତି, ପକ୍ଷୀମାନଙ୍କ ବିଷୟରେ ଅଧିକ ଜ୍ଞାନ ଥିବା ଓ ଏ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସର୍ବେକ୍ଷଣରେ ସାମିଲ କରାଯାଇଛି। ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ଟିମ୍ର ବିଭିନ୍ନ ପକ୍ଷୀ ଓ ସେମାନଙ୍କ ପ୍ରଜାତି ବିଷୟରେ ଜାଣିବାରେ ଅଭିଜ୍ଞତା ରହିଛି ବୋଲି ଡିଏଫ୍ଓ କହିଛନ୍ତି।
ଡିଏଫ୍ଓଙ୍କ ସୂଚନା ଅନୁସାରେ, ଏହି ବିଶେଷଜ୍ଞମାନେ ସାତକୋଶିଆର ବିଭିନ୍ନ ଅଞ୍ଚଳ ବୁଲି ପକ୍ଷୀଙ୍କ ତଥ୍ୟ ସଂଗ୍ରହ କରିବେ। ଏହାକୁ ସେମାନେ ଇ- ବାର୍ଡ ଆପ୍ରେ ଅପଲୋଡ କରିବେ। ଏହାପରେ ସାତକୋଶିଆରେ କେତେ ପ୍ରଜାତିର ପକ୍ଷୀ ଅଛନ୍ତି ସେ ନେଇ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
Comments are closed.