Latest Odisha News

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନକୁ ପରାସ୍ତ କରି ରଚିଲା ଇତିହାସ

ନୂଆଦିଲ୍ଲୀ: ଶେଷରେ !! ଦକ୍ଷିଣ ଆଫ୍ରିକା ଆଇସିସି ଇଭେଣ୍ଟର ଫାଇନାଲରେ !! ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍ ୨୦୨୪ର ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ୯ ଓ୍ଵିକେଟ୍ ହାତରେ ଥାଇ ଏବଂ ୬୭ ବଲ୍ ବାକି ଥାଇ ଆଫଗାନିସ୍ତାନଠୁ ମ୍ୟାଚ ବିଜୟୀ ହୋଇଛି।

ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭୁଲ ସାବ୍ୟସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୧.୫ ଓଭରରେ ମାତ୍ର ୫୬ ରନ୍ କରି ଆଫ୍ରିକା ବୋଲରଙ୍କ ହାତରେ ଅଲଆଉଟ୍ ହୋଇଯାଇଥିଲା। ଏହି ସମୟରେ ଦଳ ପକ୍ଷରୁ ମାର୍କୋ ଜାନସେନ୍ ଓ ତବ୍ରେଜ୍ ଶାମ୍ସି ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୮.୫ ଓଭରରେ ୧ ୱିକେଟ୍ ହରାଇ ୬୦ ରନ୍ କରି ବିଜୟୀ ହୋଇଛି।

୫୭ ରନର ଛୋଟ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଖରାପ ରହିଥିଲେ ମଧ୍ୟ ଦଳ ଏକତରଫା ବିଜୟ ହାସଲ କରିଛି। ଡି କକ୍ ୮ ବଲ୍ ରେ ୧ ଚୌକା ସହାୟତାରେ ମାତ୍ର ୫ ରନ୍ କରିଥିଲେ। ତେବେ ଏହା ପରେ ଆଫ୍ରିକା କୌଣସି ୱିକେଟ୍ ହରାଇନଥିଲା।

ଏହାପରେ ରିଜା ହେଣ୍ଡ୍ରିକ୍ସ ଓ ଅଧିନାୟକ ଏଡେନ୍ ମାର୍କରାମ ସହଜରେ ଅପରାଜିତ ୫୫ (୪୩ ବଲ୍) ରନର ଭାଗିଦାରୀ କରି ଟାର୍ଗେଟ୍ ହାସଲ କରିଥିଲେ। ରିଜା ହେଣ୍ଡ୍ରିକ୍ସ ୨୫ ବଲରେ ୩ ଚୌକା ଓ ୧ ଛକା ସହାୟତାରେ  ଅପରାଜିତ ୨୯ ରନ୍ କରିଥିବା ବେଳେ ଅଧିନାୟକ ମାର୍କରାମ ୨୧ ବଲ୍ ରେ ୪ ଚୌକା ସହ ଅପରାଜିତ ୨୩ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକାକୁ ଚୋକର ମଧ୍ୟ କୁହାଯାଏ । ନକଆଉଟ୍ ମ୍ୟାଚରେ ଦଳ ପ୍ରାୟତଃ ଭଲ ଖେଳିନଥାଏ। କିନ୍ତୁ ଏଥର ଦକ୍ଷିଣ ଆଫ୍ରିକା ଭଲ ଫର୍ମ ଦେଖାଇ ସେମିଫାଇନାଲ ଜିତି ନିଜଠାରୁ ଚୋକର ଟ୍ୟାଗ୍ ହଟାଇ ଦେଇଛି।

Leave A Reply

Your email address will not be published.