Latest Odisha News

BREAKING NEWS

ଏହି କାରଣ ପାଇଁ ଇଣ୍ଡିଗୋ ପାଇଲଟ ଉଡାଣ ଭରିବାକୁ ମନା କରିଦେଲେ, ତିନି ଘଣ୍ଟା ଧରି ଅପେକ୍ଷା କଲେ ୧୬୨ ଯାତ୍ରୀ

ପାଟନା: କୁହୁଡି ପାଇଁ ବିଳମ୍ବିତ ଉଡାଣ ସେବା ପାଇଁ ଯାତ୍ରୀଙ୍କ ଅସନ୍ତୋଷର ଶିକାର ହେଉଥିବା ଇଣ୍ଡିଗୋ ବିମାନ ଏବେର ନିଷ୍ପତ୍ତି ଯାତ୍ରୀଙ୍କୁ ହଟହଟା କରିଛି। ପାଟନା ବିମାନବନ୍ଦରରେ ୧୬୨ ଜଣ ଯାତ୍ରୀଙ୍କୁ ନେଇ ପ୍ରସ୍ତୁତ ଥିଲା। କ୍ରୁ ମେମ୍ବରମାନେ ପାଇଲଟ କକପିଟ୍ ଭିତରକୁ ଆସିବାକୁ ଅପେକ୍ଷା କରିଥିଲେ। ଯାତ୍ରୀମାନେ ଭାବିଥିଲେ ଯେ ସେମାନଙ୍କ ବିମାନ ଉଡ଼ାଣ ହେବାକୁ ଯାଉଛି। କିନ୍ତୁ ପରେ ପାଇଲଟ୍ ଉଡ଼ାଣ କରିବାକୁ ମନା କରିଦେଇଥିଲେ।

କାରଣ ଦର୍ଶାଯାଇଥିଲା ଯେ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଛି। ଇଣ୍ଡିଗୋର ଏହି ବିମାନ ନମ୍ବର ୬ଇ ୧୨୬ ପାଟନା-ପୁଣେ ମଧ୍ୟରେ ଥିଲା। ଏହି ଘଟଣା ପରେ ବିମାନଟି ପ୍ରାୟ ୩ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା। ଯେଉଁଥିପାଇଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସୂଚନା ଅନୁଯାୟୀ, ବୁଧବାର ପାଟନାରୁ ପୁଣେ ଯାଉଥିବା ଏହି ଇଣ୍ଡିଗୋ ବିମାନ ପାର୍କିଂ ବେ’ରୁ ବାହାରିବା ପାଇଁ ପ୍ରସ୍ତୁତ ହୋଇ ଠିଆ ହୋଇଥିଲା। ଏହି ସମୟରେ ପାଇଲଟଙ୍କୁ ତାଙ୍କ ଜେଜେମା’ଙ୍କ ହଠାତ୍ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ସୂଚନା ପାଇବା ପରେ ପାଇଲଟ୍ ବିମାନ ଚଳାଚଳ କରିବା ପାଇଁ ମାନସିକ ସ୍ତରରେ ନାହାନ୍ତି ବୋଲି ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ କହିଥିଲେ।

ପାଇଲଟ୍ ଉଡ଼ାଣ ପାଇଁ ମନା କରିବା ପରେ ବିମାନ ଅଧିକାରୀମାନେ ବିମାନକୁ ପାର୍କିଂ ବେ’କୁ ଫେରାଇ ଆଣିଥିଲେ। ଯାହାଫଳରେ ରନୱେରେ ଥିବା ଅନ୍ୟ ବିମାନଗୁଡ଼ିକ ପ୍ରଭାବିତ ହୋଇନଥିଲା। ଏହାପରେ ଦ୍ବିତୀୟ ପାଇଲଟଙ୍କୁ ବିମାନ ଉଡ଼ାଣ ପାଇଁ ଡକାଯାଇଥିଲା। ପାଟନା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପାଟନା-ପୁଣେ ମଧ୍ୟରେ ବିମାନ ନମ୍ବର ୬ଇ ୧୨୬ ଅପରାହ୍ନ ପ୍ରାୟ ୧ଟା ୨୫ରେ ଉଡ଼ାଣ କରିବାର ଥିଲା। କିନ୍ତୁ ପାଇଲଟ ମନା କରିବାରୁ ଅପରାହ୍ନ ୪ଟା ୪୧ରେ ବିମାନଟି ଉଡ଼ାଣ ଭରିଥିଲା।

ଏସବୁ ଭିତରେ ଏୟାରଲାଇନ୍ସ କମ୍ପାନୀ ଯାତ୍ରୀଙ୍କୁ ବିମାନରୁ ତଳକୁ ନେଇ ଯାଇଥିଲା। ନୂଆ ପାଇଲଟ ଆସିବା ପରେ ପୁଣି ଥରେ ଯାତ୍ରୀଙ୍କ ଚଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏସବୁ ଭିତରେ ୩ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲା। ଫଳରେ ଯାତ୍ରୀ, ବିଶେଷ କରି ଶିଶୁ ଓ ବୟସ୍କମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୩ ଘଣ୍ଟା ଧରି ୧୬୨ ଜଣ ଯାତ୍ରୀ ବିମାନ ଛାଡ଼ିବା ପାଇଁ ଅପେକ୍ଷା କରିଥିଲେ। ଉତ୍ତର ଭାରତରେ ଗତ କିଛି ଦିନ ହେବ ଘନ କୁହୁଡ଼ି ଅନୁଭୂତ ହେଉଛି। ଯାହା ଫଳରେ ବାରମ୍ବାର ବିମାନ ଉଡ଼ାଣ ରେ ବିଳମ୍ବ ହେଉଛି।

Leave A Reply

Your email address will not be published.