Latest Odisha News

BREAKING NEWS

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରେ ଚମକିଲେ ୩ ଭାରତୀୟ

ନୂଆଦିଲ୍ଲୀ: ବିଶ୍ବର ପ୍ରଭାବଶାଳୀ ମହିଳାଙ୍କ ଭିତରେ ଭାରତର ଦବଦବା । ୩ ମହିଳା ଲେଖିଲେ ସ୍ବର୍ଣ୍ଣିମ ଅକ୍ଷରରେ ନାଁ । ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ନୀତି ନିର୍ମାତାଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ଫୋର୍ବସର ଏହି ୨୧ ତମ ତାଲିକାରେ ତିନି ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ରହିଛି, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ଯେଉଁଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ଏବଂ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବାଓକନ୍‌ ଅଧ୍ୟକ୍ଷା କିରଣ ମଜୁମଦାର ଶ’ ତିନୋଟି ସ୍ଥାନ ଅଧିକାର କରିଛନ୍ତି । ନିର୍ମଳା ଏହି ତାଲିକାର ୨୮ତମ ସ୍ଥାନରେ ରହିଥିବାବେଳେ ରୋଶନୀ ଓ କିରଣ ଯଥାକ୍ରମେ ୮୧ ଓ ୮୨ତମ ସ୍ଥାନ ଅଧିକାର କରିଛନ୍ତି।

ତେବେ ବର୍ତ୍ତମାନ ଦେଶର ଅର୍ଥମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଆସୁଛନ୍ତି । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ନିର୍ମଳା ବାଣିଜ୍ୟ ଓ ଶିଳ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଦାୟିତ୍ବ ତୁଲାଇଥିଲେ । ୨୦୧୭ ସେପ୍ଟେମ୍ବରରୁ ୨୦୧୯ ମେ’ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ପରେ ନିର୍ମଳା ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ବ ତୁଲାଇ ଆସୁଛନ୍ତି।

ସେହିପରି ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ତାଙ୍କ ପିତା ଶିବ ନାଦରଙ୍କ ଦ୍ବାରା ସ୍ଥାପିତ ଏଚସିଏଲ ଟେକ୍ନୋଲୋଜି କମ୍ପାନୀର ଦାୟିତ୍ବ ସମ୍ଭାଳୁଛନ୍ତି । କମ୍ପାନୀର ମୋଟ ସମ୍ପତ୍ତି ପରିମାଣ ବର୍ତ୍ତମାନ ୧୨୦୦ କୋଟି ଡଲାର। ରୋଶନୀ ନାଦର ମାଲହୋତ୍ରା ମଧ୍ୟ ଶିବ ନାଡର ଫାଉଣ୍ଡେସନର ଟ୍ରଷ୍ଟି ଏବଂ ଏହା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏଥିସହିତ ରୋଶନୀ ଦି ହାବିଟାଟସ୍ ଟ୍ରଷ୍ଟ ମଧ୍ୟ ସେ ପ୍ରତିଷ୍ଠା କରିଛନ୍ତି, ଯାହା ପ୍ରକୃତି ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛି ।

ଆଉ ୮୨ ସ୍ଥାନ ଅଧିଗ୍ରହଣ କରିଥିବା ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବାଓକନ୍‌ ଅଧ୍ୟକ୍ଷା କିରଣ ମଜୁମଦାର ଶ’ ୧୯୭୮ରେ ବାଓକନ କମ୍ପାନୀ ପ୍ରତିଷ୍ଠା କରିଥିଲେ। କିରଣ ଭାରତର ସଫଳ ଶିଳ୍ପପତିମାନଙ୍କ ମଧ୍ୟରେ ଅନ୍ୟତମ  । ୨୦୧୯ ରେ, କିରଣ ମଜୁମଦାର ଏବଂ ତାଙ୍କ ସ୍ୱାମୀ ଜନ୍ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ କର୍କଟ ଅନୁସନ୍ଧାନ ପାଇଁ ୭.୫ ମିଲିୟନ ଡଲାର ଦାନ କରିଥିଲେ। ଏଥିସହିତ କିରଣଙ୍କ କମ୍ପାନୀ କରୋନା ଭାଇରସର ଆଣ୍ଟିବଡି ଥେରାପି ଉପରେ ମଧ୍ୟ କାମ କରୁଛି।

ତେବେ ଏହି ଫୋର୍ବସ ରିପୋର୍ଟରେ ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭଡ଼୍‌ ଡର୍‌ ଲି​‌ୟେନ୍‌ ତାଲିକାର ଶୀର୍ଷରେ ଥିବାବେଳେ ୨ୟ ସ୍ଥାନରେ ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି କ୍ରିଷ୍ଟିନ ଲାଗାର୍ଡେ ଏବଂ ୩ୟ ସ୍ଥାନରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ରହିଛନ୍ତି ।

Leave A Reply

Your email address will not be published.