Latest Odisha News

BREAKING NEWS

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି ଦର ଠାରୁ ଆହୁରି ଏକ ଉଦ୍‌ବେଗର ବିଷୟ ହେଲା ଅଖାଦ୍ୟ ।

ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ପ୍ରାୟ ୪ ଦିନ ଆଗରୁ ସୁସ୍ୱାଦୁ ଏବଂ ଲୋଭନୀୟ ଫଳ ଭାବରେ ଯାହା ସବୁ ବଜାରରେ ମିଳୁଥିଲା ସେଥିମଧ୍ୟରୁ ଅନେକ ଗୁଡ଼ିଏ ଥିଲା ଅଖାଦ୍ୟ । ଖାଲି ସେତିକି ନୁହେଁ; ସେସବୁ ଖାଇଲେ କ୍ୟାନ୍‌ସର୍ ଭଳି ରୋଗ ହେବାର ସମ୍ଭାବନା ଅଛି ବୋଲି କମ୍ ଲୋକ ଜାଣନ୍ତି ।

ଆଜିକାଲି ଫଳକୁ ପଚାଇବା ପାଇଁ ଅନେକ ପ୍ରକାରର ବିଷାକ୍ତ ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଉଛି । ପୂର୍ବରୁ ଏଥିପାଇଁ କ୍ୟାଲ୍‌ସିୟମ କାର୍ବାଇଡ୍ ବ୍ୟବହାର ହେଉଥିଲା । ଉଭୟ କାର୍ବାଇଡ୍ ଏବଂ ଆଜିକାଲି ପ୍ରଚୁର ଭାବେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ସବୁ ଶରୀର ପାଇଁ ଭୟଙ୍କର ଭାବରେ କ୍ଷତିକାରକ । ଗଦା ଗଦା ପଣସ ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ୫/୭ଦିନ ଆଗରୁ ଗଦା ହୋଇଗଲା । ସେସବୁ ପାଚିଗଲା ମଧ୍ୟ । ସେସବୁ କେମିତି ପାଚିଲା କେହି ଜାଣିବାକୁ ଆଗ୍ରହ ପ୍ରକାଶ କରିଲେ ନାହିଁ ।

ଗଦା ଗଦା ଆମ୍ବ ସବୁ ସମାନ ଧରଣର ପାଚିଛି । ସମୁଦାୟ ଆମ୍ବ ପାଚି ହଳଦିଆ ହୋଇଯାଉଛି, ଗଦା ସାରା ଏକା ଢ଼ଙ୍ଗରେ । ଠିକ୍ ସେହିପରି ସପୁରୀ । ସମୁଦାୟ ଗଦାଟା ଯାକ ସପୁରୀ ଏକା ଥରକେ ପାଚିଗଲା । ଆମ୍ବ ହେଉ, ସପୁରୀ ହେଉ, ପଣସ କି କଦଳୀ ହେଉ, ଏସବୁ କିଭଳି ଭାବରେ ପାଚୁଛି ତାହା ଜାଣିବାକୁ କେହି ଆଗ୍ରହ ଦେଖାନ୍ତି ନାହିଁ ।

କେଉଁ ପ୍ରକ୍ରିୟାରେ ଏହିସବୁ ଫଳ ପଚାଯାଉଛି, ଏହା ଯେ ଭୟଙ୍କର ପରିଣମ ଦେଇଥାଏ ଏହା ବିଷୟରେ କମ୍ ଲୋକ ସଚେତନ ଥାଆନ୍ତି । ଆଉ କେତେକ ଫଳକୁ ଦୀର୍ଘ ଦିନ ଧରି ସତେଜ ରଖିବା ପାଇଁ ତା’ ଉପରେ ପାରାଫିନ୍‌ର ଏକ ଆସ୍ତରଣ ଦିଆଯାଉଛି । ଏଭଳି ଫଳ ସବୁ ଆମେ ଖାଉଛନ୍ତି ଏବଂ ତଟକା, ତାଜା ଫଳ ଖାଇ ସୁସ୍ଥ ରହୁଛନ୍ତି ବୋଲି କେବଳ ନିଜ ମନକୁ ବୁଝାଉଛନ୍ତି ।

ବର୍ତ୍ତମାନ ପାଚିଲା ଫଳ ପରେ ଯେଉଁ ଅଖାଦ୍ୟ ଫଳଗୁଡ଼ିକ ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ରାସ୍ତାରେ ଗଦା ହୋଇଥିଲା, ସେସବୁର ଅବସ୍ଥା କଣ ହେବ ସେକଥା ଜାଣିବା କଥା । କଞ୍ଚା ମାଙ୍କଡ଼ା କେନ୍ଦୁ, ବୁଢ଼ା ତାଳସଜ, କଞ୍ଚା ଖଜୁରୀ କୋଳି ଭଳି ଫଳଗୁଡ଼ିକ ପୂଜା ବଜାରରେ ଚଢ଼ା ଦରରେ ବିକ୍ରି ହୁଏ ସତ । କିନ୍ତୁ ସେଗୁଡିକୁ କେହି ଖାଆନ୍ତି ନାହିଁ । କାରଣ ସେସବୁ ନାମକୁ ମାତ୍ର ଫଳ, କିନ୍ତୁ ଖାଇବା ଯୋଗ୍ୟ ନୁହେଁ ।

ଆଉ ସାବିତ୍ରୀ ଅମାବାସ୍ୟା ପର ଦିନଠୁ ରାସ୍ତା କଡ଼ରେ ଗଦା ହୋଇଥିବା ପଚା ପଣସ, ତରଭୁଜ, କଦଳୀ, ବୁଢ଼ା ତାଳସଜ, ଅଧା ଶୁଖିଲା କଞ୍ଚା ଖଜୁରୀ କୋଳି ଆଦି ସବୁ ଯେଉଁଭଳି ଭାବରେ ଏବଂ ଯେଉଁ ରୂପରେ ପଡ଼ି ରହିଛି ତାକୁ ଦେଖିଲେ ଏହାଯେ ଗୋଟିଏ ଖାଦ୍ୟ ବୋଲି କେହି କେବେ ହେଲେ କଳ୍ପନା କରିପାରିବେ ନାହିଁ ।

ହଜାର ହଜାର ଟଙ୍କା ବ୍ୟୟ କରି ଫୁଲବାଣୀ, କୋରାପୁଟ୍‌, କେନ୍ଦୁଝର ଆଦି ଜଙ୍ଗଲରୁ ପଣସ ସବୁ ଟ୍ରକ୍‌ରେ ଲଦା ହୋଇ ସହରାଞ୍ଚଳର ବଜାରଗୁଡ଼ିକୁ ଲଦା ହୋଇଥିଲା । ସେଥିରେ କାର୍ବାଇଡ୍ ଗ୍ୟାସ୍ ଦେଇ ପଚାଇ ଦିଆଯିବା ପରେ ଦୁଇ ଦିନ ପରେ ତାହା ପଚିବା ଆରମ୍ଭ କଲାଣି । ପୁଣି ତାକୁ ଫେରାଇ ନେବାର ସମ୍ଭାବନା ବି ନାହିଁ ।

ତେଣୁ ରାସ୍ତାକଡ଼ର ଫଳ ବ୍ୟବସାୟୀମାନଙ୍କ ଠାରୁ ରାସ୍ତାକଡ଼ର ସଫେଇ ପାଇଁ ଅର୍ଥ ଆଦାୟ କରାଗଲେ, ଭୁଲ୍ କିଛି ହୁଅନ୍ତାନି ।

Comments are closed.