Latest Odisha News

BREAKING NEWS

ରାଜଧାନୀରେ ଗଛ କାଟିବାକୁ କେଉଁ ସ୍ୱାର୍ଥରେ ବନ ବିଭାଗ ତରବରିଆ ଅନୁମତି ଦେଇଛି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଧାୟକଙ୍କ ପାଇଁ ତିଆରି ହେଉଥିବା କ୍ୱାର୍ଟର ନିର୍ମାଣ ପାଇଁ ଗଛ କଟା ହୋଇଛି। ଏହିସବୁ କ୍ୱାର୍ଟର ନିର୍ମାଣ ପାଇଁ ହଜାରେ ଗଛ କଟା ହେବ। ବନ ବିଭାଗ ଏତେ ସବୁ ଗଛ କାଟିବା ପୂର୍ବରୁ ଆବଶ୍ୟକ ପ୍ରକ୍ରିୟାକୁ ଅନୁପାଳନ କରିନଥିବା ଅଭିଯୋଗ ରହିଛି। ଯେଉଁ ଅନୁମତି ବର୍ଷେ ଲାଗିବା କଥା ତାହା ଦୁଇ ମାସରେ ଅନୁମତି ମିଳିଥିବା ନେଇ ସୂଚନା ମିଳିବା ପରେ ବନ ବିଭାଗ କେଉଁ ସ୍ୱାର୍ଥରେ ଗଛ କାଟିବାକୁ ଅନୁମତି ଦେଇଛି ତାହା ଏବେ ସନ୍ଦେହ ଘେରରେ।

ଯେଉଁ ଅଞ୍ଚଳକୁ ବନ ବିଭାଗ ମେସିନ ଲଗାଇ କାଟୁଛି ସେଠାରେ ଶହ ଶହ ବର୍ଷର ପୁରୁଣା ଗଛ ରହିଛି। ସୂକ୍ଷ୍ମ ଜୌବ ବିବିଧତାରେ ପରିପୂର୍ଣ୍ଣ ହୋଇଥିବା ଏହି ସ୍ଥାନରେ ଅନେକ ପକ୍ଷୀ, କୀଟପତଙ୍ଗ ରୁହନ୍ତି । ଆଉ ଏହି ଅଞ୍ଚଳ ସବୁଜମୟ ହେବା ପଛରେ ଏହି ଗଛ ଗୁଡିକର ବଡ ଅବାଦନ ରହିଛି। ଏପରି ସ୍ଥିତିରେ ଗଛ କାଟିବା ପୂର୍ବରୁ ପରିବେଶ ଉପରେ କି ପ୍ରଭାବ ପଡିବ ସେ ନେଇ ଅନୁଧ୍ୟାନ ହୋଇଥିଲା କି ନାହିଁ ? ପୂର୍ବରୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ରାୟରେ କହିଥିଲେ, ଘଞ୍ଚ ଜଙ୍ଗଲ ଭଳି ଦେଖାଯାଉଥିବା କୌଣସି ଅଞ୍ଚଳ ଆପେ ଆପେ ଜଙ୍ଗଲ କିସମକୁ ବଦଳିଯିବ। ଏପରି ସ୍ଥିତିରେ ଅନ୍ୟ କୌଣସି ସ୍ଥାନରେ ଗଛ ଲଗାଇଲେ ଏଠାରେ ଗଛ କାଟିବା କଥା । କିନ୍ତୁ ଏଠାରେ ଏହି ଅନୁପାଳନ ହୋଇନି। ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେଉଁ ଆଧାରରେ ଫୁ’ କଲା ବନ ବିଭାଗ? ସେହିପରି ଏନଓସି ପାଳନ ବେଳେ ଜଙ୍ଗଲ ସଂରକ୍ଷଣ ଆଇନ 1980ର ହୋଇନି ଅନୁପାଳନ ହୋଇନଥିବା ଅଭିଯୋଗର ଜବାବ ରଖିବେ କି ବନ ବିଭାଗ?

 ଏହାବାଦ ଯେଉଁ ପ୍ରସଙ୍ଗକୁ ନେଇ ବନ ବିଭାଗର ଉଦ୍ଦେଶ୍ୟ ସନ୍ଦେହ ଘେରରେ ତାହା ହେଲା ଅନୁମତି ପ୍ରଦାନ । ଓବିସିସି ଏବଂ ସାଧାରଣ ପ୍ରଶାସନ ବିଭାଗ ଜାନୁଆରୀରେ ଗଛ କାଟିବାକୁ ଅନୁମତି ମାଗିଥିଲେ। ଆଉ ରାଜସ୍ୱ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ଓବିସିିସି ଏବଂ ସିଟି ଡିଏଫଓଙ୍କ ସହ ମିଳିତ ସର୍ଭେ କରିଥି୍ଲେ। ଆଉ ଯେତକ ଗଛ କଟାଯିବ ବୋଲି କୁହାଯାଇଛି ସେସବୁକୁ ଅନୁମତି ପ୍ରଦାନ ପାଇଁ ସାଧାରଣତଃ ବର୍ଷେ ସମୟ ଲାଗେ। ହେଲେ କେଉଁ ଆଧାରରେ ଏପ୍ରିଲ ମାସରେ ଗଛ କାଟିବାକୁ ସିଟି ଡିଏଫଓ ଅନୁମତି ଦେଲେ?

ଉଲ୍ଲେଖଯୋଗ୍ୟ, ଅନେକ ପରିବେଶବିତ ଏବଂ ପ୍ରକୃତିପ୍ରେମୀଙ୍କ ହସ୍ତକ୍ଷେପ ପରେ ବନ୍ଦ ରହିଛି ଗଛ କଟା ଅଭିଯାନ। ଗଛକଟାକୁ ବିରୋଧ କରି ଏବେ ହାଇକୋର୍ଟରେ ମାମଲା ପହଞ୍ଚିଛି। କିନ୍ତୁ ପ୍ରଶ୍ନ ଉଠିଛି ବନ ବିଭାଗ ଉପରେ।

Comments are closed.