Latest Odisha News

ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲ ସ୍ମାର୍ଟ ସ୍କୁଲକୁ ରୂପାନ୍ତରିତ

ଭୁବନେଶ୍ୱର: ଜୁନ ଏକରୁ ରାଜ୍ୟରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ରାଜ୍ୟର ୫ଟି ଜିଲ୍ଲା – ଖୋର୍ଦ୍ଧା, ବୌଦ୍ଧ, ମାଲକାନଗିରି, ସୋନପୁର ଓ ମୟୁରଭଂଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ପିଲାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ୱତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ। ଜୀବନରେ କିଛି ବଡ କରିବାର ସ୍ୱପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ୱପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ ବୁଧବାର ଗୋଟିଏ ଦିନରେ ପାଞ୍ଚ ଟି ଜିଲ୍ଲାର ରେକର୍ଡ ୫୩୨ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ମୟୂରଭଞ୍ଜରେ ସର୍ବାଧିକ ୩୩୯ଟି ସୋନପୁରରେ ୪୧ ଟି ବୌଦ୍ଧରେ ୨୪ଟି ମାଲକାନଗିରି ରେ ୪୭ଟି ଓ ଖୋର୍ଦ୍ଧାରେ ୮୧ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ଏହା ଜୁନ ଦଶ ତାରିଖ ପର୍ୟ୍ୟନ୍ତ ଚାଲିବ।

Leave A Reply

Your email address will not be published.