Latest Odisha News

ନାକେଦମ୍ ହେଲାଣି ବନବିଭାଗ; ଗତ ୨ଦିନରେ ୫୨ସ୍ଥାନରେ ଲାଗିଛି ନିଆଁ

କୋରାପୁଟ: ବନସୁରକ୍ଷା ସମିତି କରି ସଚେତନ କରିବା ପରେ ମଧ୍ୟ ଜଙ୍ଗଲପାର୍ଶ୍ବ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାର ନାଁ ଧରୁ ନାହାଁନ୍ତି । ପୋଡୁଚାଷ ଓ ମକାଚାଷ ପାଇଁ ବ୍ୟାପକ ଭାବେ ଛୋଟ ବଡ ଜଙ୍ଗଲ, ପାହାଡ଼ରେ ନିଆଁ ଲଗାଉଛନ୍ତି। ପ୍ରତିଦିନି ନିଆଁ ଲାଗିବା ଏବଂ ଲିଭାଇବା ପ୍ରକ୍ରିୟାରେ କର୍ମଚାରୀମାନେ ହନ୍ତସନ୍ତ ହୋଇ ପଡ଼ୁଥିବା କହିଛନ୍ତି କୋରାପୁଟ ରେଞ୍ଜର ଏସକେ ପାହାଡସିଂ।

ଚଳିତବର୍ଷ କୋରାପୁଟ ବନଖଣ୍ଡରେ ଜାନୁଆରୀରୁ ଅପ୍ରେଲ ୪ ତାରିଖ ଯାଏଁ ୬୨୧ଟି ଓ ଜୟପୁର ଉପଖଣ୍ଡରେ ୬୧୭ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ଦିନକୁ ୩୦ଟି ସ୍ଥାନରେ ନିଆଁ ଲାଗୁଛି। ଏପରିକି ଛୋଟ ବଡ଼ ପାହାଡ଼ରେ ନିଆଁ ଲଗାଉଥିବାରୁ ପାରାସ୍କ୍ବାର୍ଡ ଓ ନିଆଁ ଲିଭା ଦଳ ପାହାଡ ଉପରକୁ ଯାଇ  ଲିଭାଇ ତଳକୁ ଫେରିବା ବେଳକୁ ପୁଣି ଲାଗୁଛି। ନିଆଁ ଲିଭାଇ ଲିଭାଇ ନାକେଦମ୍ ହୋଇ ପଡ଼ିଛି ବନବିଭାଗ। ଗତ ଦୁଇ ଦିନରେ ୫୨ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଗତ ଫେବ୍ରୁଆରି ଠାରୁ ଏଯାବତ୍ ସର୍ବାଧିକ କୋରାପୁଟ ଡିଭିଜନର ନାରାୟଣପାଟଣା ୪୦୩, ଲକ୍ଷ୍ମୀପୁର ୧୦୦, ସେମିଳିଗୁଡା ୬୦, କୋରାପୁଟ ଓ ଲମତାପୁଟ ୨୦, ବାଲଦା ୧୮, ଜୟପୁର ଡିଭିଜନର ବୋରିଗୁମ୍ମା ୧୮୯ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜୟପୁର ୧୨୧, ଗୁପ୍ତେଶ୍ବର ୧୦୦ଟି, କୁନ୍ଦ୍ରା ୭୦, କୋଟପାଡ ୮୭ ଓ ବୈପାରୀଗୁଡା ରେଞ୍ଜରେ ୫୦ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରିଥିବା ଉଭୟ ଡିଭିଜନରୁ ସୂଚନା ମିଳିଛି।

ଯେତେ ବନସୁରକ୍ଷା ସମିତି ଗଠନ କରି ସଚେତନତା ସୃଷ୍ଟି କରିଲେ ମଧ୍ୟ ଜାଳେଣୀ କାଠ ଓ ପୋଡୁଚାଷ କରିବା ପାଇଁ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି ରେଞ୍ଜର।

Comments are closed.