Latest Odisha News

BREAKING NEWS

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ। ମରଣୋତ୍ତର ଭାବେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। କେନ୍ଦ୍ର ସରକାର ଏହି ରତ୍ନ ଦେବା ନେଇ ଘୋଷଣା କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଜାରି ହୋଇଛି। । ସେ ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ। ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ।

ଆସନ୍ତା ବୁଧବାର କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳନ ହେବ। ଏହି ଅବସରରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି । ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ) କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦିଆଯିବା ନେଇ ଦାବି ଉଠାଇ ଥିଲେ। ଏହି ଘୋଷଣା ପରେ ଜେଡିୟୁ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇଛି। କର୍ପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର କହିଛନ୍ତି , ଆମକୁ ଶେଷରେ ୩୬ ବର୍ଷର ତପସ୍ୟାର ଫଳ ମିଳିଲା।

ସ୍ବାଧୀନତା ପରେ କର୍ପୂରୀ ଠାକୁର ବିହାରର ଦୁଇଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ସେ ନିଜର ସରଳ ଜୀବନଯାପନ ଓ ସଚ୍ଚୋଟତା ପାଇଁ ପ୍ରସିଦ୍ଧ ଥିଲେ । ସେ ୨୨ ଡିସେମ୍ବର ୧୯୭୦ରୁ ୨ ଜୁନ ୧୯୭୧ ପର୍ଯ୍ୟନ୍ତ ଓ ୨୪ ଜୁନ ୧୯୭୭ରୁ ୨୧ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଥିଲେ । ସେ ବିହାରର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ।

ସ୍ୱାଧିନତା ସଂଗ୍ରାମୀଙ୍କ ସହ ସହ – ଶିକ୍ଷକ ମଧ୍ୟ ଥିଲେ। ସେ ପଛୁଆ ବର୍ଗରୁ ଆସିଥିଲେ। ସେ ମଣ୍ଡଳ ଆନ୍ଦୋଳନରୁ ମଧ୍ୟ ପ୍ରଥମ ମୁଖ୍ୟମନ୍ତ୍ରୀ ରହି ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଇଥିଲେ। କର୍ପୂରୀ ଠାକୁର ଶିକ୍ଷା ମନ୍ତ୍ରୀ ଥିବା ବେଳେ ବିଦ୍ୟାର୍ଥୀଙ୍କ ଫିସ୍‌କୁ ବନ୍ଦ କରି ଦେଇ ଥିଲେ। ଇଂରାଜୀ ଅନିବାର୍ଯ୍ୟତାକୁ ମଧ୍ୟ ଶେଷ କରିଥିଲେ। କିଛି ଦିନ ପରେ ବିହାରର ରାଜନୀତି ଏମିତି ମୋଟ ନେଇଥିଲା କି, କର୍ପୂରୀ ଠାକୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ୬ ମାସ ଯାଏ କ୍ଷମତାରେ ରହି ଥିଲେ।

‘ଭାରତ ରତ୍ନ’ ହେଉଛି ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ବେସାମରିକ ସମ୍ମାନ। ଏପର୍ଯ୍ୟନ୍ତ ୪୮ ଜଣଙ୍କୁ ଏହି ସମ୍ମାନ ମିଳିଛି। ଶେଷଥର ପାଇଁ ୨୦୧୯ ମସିହାରେ ମୋଦୀ ସରକାରଙ୍କ ଦ୍ୱାରା ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଏବଂ ନାନାଜୀ ଦେଶମୁଖଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୫ ବର୍ଷ ପରେ ୨୦୨୪ରେ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।

Leave A Reply

Your email address will not be published.