Latest Odisha News

BREAKING NEWS

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଟୋନି।

ନବୀନ ନିବାସରେ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା କୁହାଯାଉଛି।

ଓଡ଼ିଶା ସରକାର ଓ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ୍ ଚେଞ୍ଜ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହେବାର କିଛି ଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାରୁ ଏହା ବେଶ୍ ଗୁରୁତ୍ୱ ବହନ କରୁଛି।

ଚୁକ୍ତି ଅନୁଯାୟୀ ଏହି ଅନୁଷ୍ଠାନ ରାଜ୍ୟ ସରକାରଙ୍କୁ ନିଜର ସାମଗ୍ରିକ ଅର୍ଥନୈତିକ ଏଜେଣ୍ଡାକୁ ସାକାର କରିବା ପାଇଁ ପରାମର୍ଶମୂଳକ ସହାୟତା ଯୋଗାଇ ଦେବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ଓ ଟୋନି ବ୍ଲେୟାର ଇନଷ୍ଚିଚ୍ୟୁଟ ଫର୍ ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାର ଅଂଶବିଶେଷ ସ୍ୱରୂପ ଟିବିଆଇ ସରକାରଙ୍କୁ ପରାମର୍ଶମୂଳକ ସହାୟତା ପ୍ରଦାନ କରିବ। ଯାହା ଫଳରେ ସରକାର ନିଜର ସାମଗ୍ରିକ ଅର୍ଥନୈତିକ ଏଜେଣ୍ଡାକୁ ସଫଳତାର ସହ ସମ୍ପାଦନ କରିପାରିବେ।

ଲଣ୍ଡନରେ ଟିବିଆଇର ମୁଖ୍ୟାଳୟ ରହିଛି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି। ଏହି ସଂସ୍ଥା ୪୫ରୁ ଅଧିକ ଦେଶରେ କାର୍ଯ୍ୟ କରି ସରକାରଙ୍କ ବିଚାରକୁ ବାସ୍ତବତାରେ ପରିଣତ କରିବାରେ ସାହାଯ୍ୟ କରିଥାଏ। ଏହା ରଣନୀତି, ନୀତି ଏବଂ ବିତରଣ ଉପରେ ପରାମର୍ଶ ଦେଇ ନେତାମାନଙ୍କୁ ସାହାଯ୍ୟ କରିଥାଏ ଏବଂ ତିନୋଟି ଯାକ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ବା ଆଇଟିର ବ୍ୟବହାରକୁ ଉନ୍ମୁକ୍ତ କରିଥାଏ।

ବିଭିନ୍ନ ସରକାରୀ ଓ ବେସରକାରୀ ଅଂଶୀଦାରଙ୍କ ଦୃଷ୍ଟିଶକ୍ତିର ଉପଯୋଗ କରିବାରେ ଟିବିଆଇର ଦକ୍ଷତା ସହିତ ଏହି ପଦକ୍ଷେପ ଓଡ଼ିଶାର ଚାଲୁ ରହିଥିବା ପରିବର୍ତ୍ତନକୁ ଆହୁରି ଉତ୍ସାହିତ କରିବ ବୋଲି ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।

Leave A Reply

Your email address will not be published.