Latest Odisha News

BREAKING NEWS

ୟୁକ୍ରେନ ବ୍ୟାଙ୍କ ସହ ଆଇନଗତ ଲଢ଼େଇ: ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲରେ ରୁଷିଆ ପକ୍ଷରୁ ମଧ୍ୟସ୍ଥି ସାଜିବେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଏକ ବଡ଼ ଅନ୍ତର୍ଜାତୀୟ ଦାୟିତ୍ୱ ମିଳିଛି। ୟୁକ୍ରେନର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ଚାଲିଥିବା ଉଚ୍ଚସ୍ତରୀୟ ଆଇନଗତ ବିବାଦରେ ସେ ରୁଷିଆ ପକ୍ଷରୁ ମଧ୍ୟସ୍ଥି (ଆର୍ବିଟ୍ରେଟର) ଭାବେ ନିଯୁକ୍ତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନର ଡୋନେସ୍କ, ଲୁହାନ୍ସ୍କ, ଖେରସନ ଏବଂ ଜାପୋରିଜିଆ ଭଳି ଚାରୋଟି ପ୍ରମୁଖ ଅଞ୍ଚଳ ଉପରେ ରୁଷିଆ କବଜା କରିଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ୟୁକ୍ରେନର ସରକାରୀ ବ୍ୟାଙ୍କ ‘ଓସ୍କାଡବ୍ୟାଙ୍କ’ ନିଜର ବ୍ୟାପକ ସମ୍ପତ୍ତି ଓ ବ୍ୟବସାୟିକ କାରବାର ହରାଇଥିଲା। ଏହି ବ୍ୟବସାୟିକ କ୍ଷତି ବାବଦକୁ ବ୍ୟାଙ୍କ ପକ୍ଷରୁ କୋଟି କୋଟି ଡଲାରର କ୍ଷତିପୂରଣ ଦାବି କରାଯାଇଛି । ୧୯୯୮ ମସିହାର ରୁଷିଆ-ୟୁକ୍ରେନ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ଆଧାରରେ ବର୍ତ୍ତମାନ ଏହି ମାମଲାର ଶୁଣାଣି ଏକ ଅନ୍ତର୍ଜାତୀୟ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲରେ ହେବ ।

ଏହି ମାମଲାର ବିଚାର ପାଇଁ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ଉଭୟ ରୁଷିଆ ଏବଂ ୟୁକ୍ରେନର ସହମତି କ୍ରମେ କୋଷ୍ଟାରିକାର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଦ୍ୟାଲା ହିମେନେଜ୍‌ଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ବଛାଯାଇଛି । ସେହିପରି ୟୁକ୍ରେନର ଓସ୍କାଡବ୍ୟାଙ୍କ ପକ୍ଷରୁ ଗ୍ରୀସ୍‌ର ପ୍ରଫେସର ଷ୍ଟାଭ୍ରୋସ୍ ବ୍ରେକୋଲାକିସ୍‌ଙ୍କୁ ତୃତୀୟ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିବା ବେଳେ, ରୁଷିଆ ସରକାର ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ନିଜ ପକ୍ଷର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜର୍ମାନୀର ଏକ ତୈଳ କମ୍ପାନୀ ସହ ଜଡ଼ିତ ଅନ୍ୟ ଏକ ମାମଲାରେ ରୁଷିଆ ପକ୍ଷରୁ ପ୍ରସ୍ତାବ ଆସିଥିଲେ ମଧ୍ୟ ସେତେବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ବର୍ତ୍ତମାନ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଆଇନଗତ ପାରଦର୍ଶିତା ପୁଣି ଥରେ ଦେଖିବାକୁ ମିଳିବ। ଏହି ବହୁଚର୍ଚ୍ଚିତ ମାମଲା ଉପରେ ଏବେ ସାରା ବିଶ୍ୱର ନଜର ରହିଛି।

Leave A Reply

Your email address will not be published.