ପୁରୀ: ପୁରୀ ସମୁଦ୍ରରେ ସ୍ପିଡ ବୋଟରେ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ ଓଲଟିବା ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ। ଦୁର୍ଘଟଣାର କାରଣ ଜାଣିବାକୁ ଉପ-ଜିଲ୍ଲାପାଳଙ୍କ ଦ୍ବାରା ତଦନ୍ତ ଚାଲିଥିବାବେଳେ ଆଜି ବୋଟିଂ ସଂସ୍ଥା ସ୍କାଏ ଡ୍ରାଇଭ ଆଡଭେଞ୍ଚର କମ୍ପାନୀ ଅଫିସକୁ ଧୂଳିସାତ୍ କରିଛି ପୁରୀ ପୌରସଂସ୍ଥା।
ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଲାଇଟ ହାଉସ ନିକଟରେ ଥିବା ସ୍କାଏ ଡ୍ରାଇଭ ଆଡଭେନଞ୍ଚର୍ କମ୍ପାନୀର ଅଫିସକୁ ମଧ୍ୟ ପୁରୀ ପୌରସଂସ୍ଥା ପକ୍ଷରୁ ହଟାଇ ଦିଆଯାଇଛି। ସେଠାରେ ଆଉ କୌଣସି କଣ୍ଟେନର ରଖାଇ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ପରିବାର ଜଗନ୍ନାଥ ଧାମ୍ ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସମୁଦ୍ର କୂଳ ଯାଇଥିଲେ। ଶନିବାର ପୁରୀ ବେଳାଭୂମିରେ ଏକ ସ୍ପିଡ୍ ବୋଟରେ ପର୍ଯ୍ୟଟକମାନେ ୱାଟର ସ୍ପୋଟର୍ସ ଆକ୍ଟିଭିଟି କରୁଥିଲେ। ସେହି ସମୟରେ ହଠାତ୍ ବୋଟଟି ଓଲଟି ପଡିଥିଲା। ବୋଟରେ ଥିବା ସୌରଭ ଗାଙ୍ଗୁଲିଙ୍କ ପରିବାର ବୋଟ୍ ତଳେ କିଛି ସମୟ ପାଇଁ ଚାପି ହୋଇ ରହିଯାଇଥିଲେ। ତେବେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଘରୋଇ ଲାଇଫଗାର୍ଡ ଫସି ରହିଥିବା ଗାଙ୍ଗୁଲିଙ୍କ ଭାଇ-ଭାଉଜଙ୍କୁ ଉଦ୍ଧାର କରିଥିଲେ। ତେବେ ପୁରୀ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। କିପରି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଚଳାଇଛି ପୁରୀ ପ୍ରଶାସନ।
Comments are closed.