ନୂଆଦିଲ୍ଲୀ: ଭାରତର ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ୯୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି । ଷ୍ଟାର ଖେଳାଳି ଲିଆଣ୍ଡର ପେସଙ୍କ ସେ ଗୁରୁ ଥିଲେ । ୧୯୫୨ରେ ଡେଭିସ କପରେ ସେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୦୧ ୱିମ୍ବେଲଡେନ ମ୍ୟାଚ ଖେଳିଛନ୍ତି । ଡେଭିସ କପରେ ସେ ଭାରତର ପ୍ରଥମ ଅଧିନାୟକ ହେବା ଗୌରବ ଅର୍ଜନ କରିଥିଲେ । କିଛି ସପ୍ତାହ ହେବ ସେ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପଡିଥିଲେ । ୨୨ ଡିସେମ୍ବର ୧୯୨୮ରେ ସେ ପାକିସ୍ତାନର ଲାହୋରରେ ଜନ୍ମ ଗ୍ରହଣ କରିଥିଲେ । ନରେଶ କୁମାର ଓ ରାମନାଥ କ୍ରିଷ୍ଣନ ଭାରତର ଯୁବ ପିଢ଼ୀଙ୍କ ନିକଟରେ ଟେନିସକୁ ପରିଚିତ କରାଇଥିଲେ କହିଲେ ଭୁଲ ହେବନି ।
ସେ ତାଙ୍କ କ୍ୟାରିୟରରେ ୫ଟି ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଏଥିରେ ଆୟରିଶ ଚାମ୍ପିୟନଶିପ, ୱେଲ୍ସ, ପ୍ରିଟଂନ ଅନ ସି ଏସେକ୍ସ, ୱେଙ୍ଗନ ଟୁର୍ଣ୍ଣାମେଂଟ ସାମିଲ । ୧୯୬୯ରେ ସେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଏସିଆନ ଚାମ୍ପିୟନଶିପରେ ଖେଳିଥିଲେ । ୧୯୯୦ରେ ସେ ୧୬ ବର୍ଷୀୟ ପେସଙ୍କୁ ଜାପାନ ବିପକ୍ଷ ଡେଭିସ କପ ଟିମରେ ସାମିଲ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ପେସ ଆଉ ପଛକୁ ଚାହିଁ ନ ଥିଲେ । ୨୦୦୦ରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଏକାଧାରରେ ଖେଳାଳି, କୋଚ, କମେଂଟେଟର ଓ ଲେଖକ ଥିଲେ ।
Comments are closed.