Latest Odisha News

ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ଫିଟିପାରିଲାନି ହତ୍ୟାକାଣ୍ଡର ଗୁମର

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୁରିଛି । ହେଲେ ନବ ଦାସଙ୍କୁ କାହିଁକି ଓ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି । ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହେଲେ, ନବଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ତଥାପି ସ୍ପଷ୍ଟ ହୋଇପାରିନି ।

ଏପରିକି ନବଙ୍କ ପରିବାର ଷଡଯନ୍ତ୍ର ଅଭିଯୋଗ କରିବା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ରର ଦିଗକୁ ତଦନ୍ତରେ ସାମିଲ କରିନାହିଁ । ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହୋଇଛି ।

୨୦୨୩ ମସିହା ଜାନୁଆରୀ ୨୯ ତାରିଖ ଆଜିର ଦିନରେ ଝାରସୁଗୁଡ଼ାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ମନ୍ତ୍ରୀ ନବ ଦାସଙ୍କୁ ସମସ୍ତଙ୍କ ସାମ୍ନାରେ ହିଁ ଗୁଳିକରି ହତ୍ୟା କରିଥିଲେ ଜଣେ ପୋଲିସ କର୍ମୀ । ଆଉ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ଆଜି ପୂରିଛି ବର୍ଷେ

ଏହି ଅବସରରେ ଝାରସୁଗୁଡା ସହର ସ୍ଥିତ ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଅନୁଷ୍ଠିତ ହୋଇଛି । ଏହାକୁ ନବ ଦାସଙ୍କ ଝିଅ ବିଧାୟିକା ଦୀପାଳି ଦାସ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାପରେ ଏସପି ଅଫିସ ସମ୍ମୁଖ ତିନି କୋଣିଆ ଛକରେ ନବ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ । ଏହାପରେ ସେହି ସ୍ଥାନକୁ ନବଦାସ ଛକ ଭାବେ ଘୋଷଣା କରାଯିବ । ପରେ ଦିନ ୧୨ଟା ରେ ମନମୋହନ ସ୍କୁଲ ପଡିଆରେ ସର୍ବଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ ।

Comments are closed.