Latest Odisha News

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଡ଼ିହେବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସହିତ ଯୋଡ଼ି ହେବା ପାଇଁ ଓଡ଼ିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଉଛି । ପ୍ରାୟ ୧୩ ଲକ୍ଷ ପ୍ରବାସୀ ଓଡ଼ିଆମାନଙ୍କୁ ଆଭାସୀ ମାଧ୍ୟମରେ ଯୋଡ଼ିବା ପାଇଁ ବ୍ୟବସ୍ଥା କରାଯାଉଛି । ଓଡିଶା ବାହାରେ ଥାଇ ମଧ୍ୟ ନିଜର ମାତୃଭାଷା, କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ପ୍ରତି ପ୍ରବାସୀମାନଙ୍କ ଆନ୍ତରିକତା ସ୍ୱାଗତଯୋଗ୍ୟ । ସମ୍ମିଳନୀ ସମ୍ପର୍କରେ ତଥ୍ୟ ଦେବା ପାଇଁ ଖୋଲା ଯାଇଥିବା ୱେବସାଇଟ www.worldodiaconference.org ମାଧ୍ୟମରେ ପ୍ରବାସୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ସମ୍ମିଳନୀ ନିମନ୍ତେ ଶୁଭେଚ୍ଛା ଭିଡିଓ ବାର୍ତ୍ତା ପ୍ରେରଣ ନିମନ୍ତେ ଅନେକ ପ୍ରବାସୀ କରିଥିବା ଅନୁରୋଧକୁ ସମ୍ମାନ ଜଣାଇ  ଏହି ବାର୍ତ୍ତା ମଧ୍ୟ ଆହ୍ୱାନ କରାଯାଉଛି ।

ସୂଚନାଯୋଗ୍ୟ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହ ଯୋଡ଼ି ହୋଇଥିବା ୧୭ଟି ପ୍ରବାସୀ ଓଡ଼ିଆ ସଂସ୍ଥା ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା ହୋଇଛି । ଦେଶ ବିଦେଶର ବହୁ ଭାଷାବିତ, ଐତିହାସିକ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଉଥିବାରୁ ସେମାନଙ୍କ ଠାରୁ ତଥ୍ୟଭିତ୍ତିକ ଉପସ୍ଥାପନା ସମ୍ପର୍କରେ ଜାଣିବା ନିମନ୍ତେ ବହୁ ପ୍ରବାସୀ ଓଡ଼ିଆ ଇଛାବ୍ୟକ୍ତ କରିଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀ ସହ ସେମାନଙ୍କୁ ଯୋଡ଼ିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ବିଦେଶରେ ରହି ନିଜ ମାତୃଭାଷାର ମହନୀୟତାକୁ ପାଶୋରି ନଯାଇ ଏହାକୁ ଉଜ୍ଜୀବିତ କରିବାକୁ ଏହି ସମ୍ମିଳନୀ ଏକ ଅପୂର୍ଵ ସୁଯୋଗ ବୋଲି ସେମାନଙ୍କ ମଧ୍ୟରୁ ଅନେକ ମତବ୍ୟକ୍ତ କରିଛନ୍ତି ।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବ । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ଐତିହ୍ୟକୁ ନେଇ ଅନେକ ମାର୍ମିକ ଆଲୋଚନା ମାନ କରାଯିବ ।

Leave A Reply

Your email address will not be published.