Latest Odisha News

BREAKING NEWS

ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲକାତା : ଆରପାରିରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ । ୮୯ ବର୍ଷ ବୟସରେ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସୋମନାଥ ଚାଟାର୍ଜୀ ସାଂସଦଭାବେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାସହିତ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ୧୯୬୮ରେ ସେ ସିପିଏମ୍ ଦଳରେ ଯୋଗ ଦେଇ ୨୦୦୮ ଯାଏଁ ଦଳର ଜଣେ ପ୍ରବୀଣ ନେତା ଭାବେ ରହିଥିଲେ ।

ସେ ଜଣେ ପ୍ରବୀଣ ନେତା ହୋଇଥିଲେ ମଧ୍ୟ ତାଙ୍କୁ ରାଜନୈତିକ ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।୨୦୦୮ରେ ଭାରତ-ଆମେରିକା ମଧ୍ୟରେ ପରମାଣୁ ଚୁକ୍ତିକୁ ବିରୋଧ କରି ସିପିଏମ୍ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରୁ ନିଜର ସମର୍ଥନ ହଟାଇ ନେଇଥିଲା। ସେତେବେଳେ ସୋମନାଥ ଚାଟାର୍ଜୀ ଲୋକସଭାର ବାଚସ୍ପତି ଥିଲେ । ଏହି ସମୟରେ ଦଳ ତାଙ୍କୁ ବାଚସ୍ପତି ପଦ ଛାଡିବା ପାଇଁ କହିଥିଲା । କିନ୍ତୁ ସୋମନାଥ ପଦ ଛାଡିବା ପାଇଁ ମନା କରିବାରୁ ସିପିଏମ୍ ଦଳ ତାଙ୍କୁ ପାର୍ଟିରୁ ବହିଷ୍କାର କରିଥିଲା ।

ଜଣେ କମ୍ୟୁନିଷ୍ଟ ନେତା ଭାବେ ଦେଶ ବିଦେଶରେ ତାଙ୍କର ପରିଚୟ ରହିଛି । ଏହି ପ୍ରବୀଣ ନେତାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.