Latest Odisha News

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: ହାତ ସହ ସମ୍ପର୍କ ତୁଟିଲା । ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ । ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାନସଭାର ଆସନରୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ନିକଟରେ ତାଙ୍କୁ ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା । ଏହାପରେ ଚର୍ଚ୍ଚା ହେଉଥିଲା ପ୍ରଫୁଲ୍ଲ ବିଜେଡିରେ ସାମିଲ ହେବେ ।

ବିଜେଡ଼ିରେ ଯୋଗ ଦେବା ପରେ ପ୍ରଫୁଲ୍ଲ ମାଝୀ କହିଛନ୍ତି, କଂଗ୍ରେସ ଏବେ ନିମ୍ନଗାମୀ । ଦଳରେ ସଦସ୍ୟଙ୍କୁ କୌଣସି ସ୍ୱାଧୀନତା ନାହିଁ । ଏଥିପାଇଁ ସେ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହେଲେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଫୁଲ୍ଲ ମାଝୀ । ବିଜେଡିରେ ସାମିଲ ହୋଇଥିବାରୁ ଆଦିବାସୀ ଓ ନିଜ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ।

ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ତ୍ରିବେଣୀ ମାଝୀ ଓ ବହୁ ସମର୍ଥକ ବି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ପ୍ରଫୁଲ୍ଲ ମାଝୀ ପେଶାରେ ଜଣେ ଡାକ୍ତର । ଡାକ୍ତରୀ ଚାକିରି କରି ଲୋକସେବା ପାଇଁ ରାଜନୀତିରେ ପାଦ ଥାପିଥିଲେ । ୨୦୦୬ ତଲସରା ଉପ-ନିର୍ବାଚନ ଜିତି ପ୍ରଥମେ ଆସିଥିଲେ ବିଧାନସଭା । ପରେ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିଲେ ।

କଂଗ୍ରେସ ଉପରୁ ନେତାଙ୍କ ଭରସା ତୁଟୁଛି । ନିକଟରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବହୁ ହେଭିଓ୍ୱେଟ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା, କୌଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ସମେତ ହଜାର ହଜାର କର୍ମୀ ବିଜେଡିରେ ମିଶିଛନ୍ତି ।

Comments are closed.